Unknown

 

 

 

 

 

 

 

 

 

ମାଟିଦୀପ

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

ଜୀବନ ଯେଉଁଠି ଜୀବନ ଚାହେ

 

କାହିଁ ସେ ରାଇଜ କାହିଁ ସେ ଭୂଇଁ ? ଜୀବନ ଯେଉଁଠି ଜୀବନ ଚାହେ ?

ଝଲମଲ ସିଏ ହେଉଚି କାହିଁ ପ୍ରଭାତୀ ଆକାଶେ ରଙ୍ଗ ପ୍ରାୟେ

କେତେ ଦୂର ଗଲେ ପାଇବି ତାରେ କିଭଳି ଚାଲିବି ସେ କେଉଁ ପଥେ

ଗଭୀର ପିପାସା ବକ୍ଷତଳେ ଆକୁଳ ଅଥୟ କରଇ ମୋତେ !

ସେ ଭୂଇଁର ବନ ପାହାଡ଼ ପଥ ଆକାଶ ବତାସ ସମସ୍ତରେ,

ପୂର୍ଣ୍ଣ ପ୍ରାଣର ସ୍ୱର୍ଣ୍ଣ ଆଭା ଲୀଳା କରୁଥିବ ନିରନ୍ତରେ

ହାକିମ ହୁକୁମ୍ ନଥିବ ତହିଁ ନଥିବ ଶୋଷଣ ନିସ୍ପେଷଣ

କଲବଲେ କିଏ ଉଷ୍ମ ଲୁହ କରୁ ତ ନଥିବ ସମ୍ବରଣ ।

ଲାଞ୍ଛିତ କିଏ ବୁକୁର ଜାଳା ବୁକୁତଳେ ଚାପି ନଥିବ ରହି

ମାଟି ଚାଳିଆରେ ସୌଧ କାର ଚାହୁଁ ତ ନଥିବ ଘୃଣା ବହି ।

କ୍ଷମତା ଓ ଧନ ଗାଦିରେ ବସି ଆହୁରି କ୍ଷମତା ଆହୁରି ଧନ-

ପାଇବାକୁ ସାରା ଜୀବନ ଧରି କରୁ ନଥିବ କେ ଅନ୍ୱେଷଣ !

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେ ?

ହାଣ ମାର ପିଟ୍ ଦ୍ୱନ୍ଦ୍ୱ ଭେଦ ଲାଗେ ଯହିଁ ନିତି ସ୍ୱପ୍ନ ପ୍ରାୟେ ।

ସେନେହ ସେନେହ ସେନେହ ଖାଲି ସବୁରି ବୁକୁରୁ ପଡ଼ୁଚି ଝରି

ହସୁଛି ସେ ଭୂଇଁ ଚତୁର୍ଦ୍ଦିଗ ପୁନିଅଁ ରାତିର ଜୋଛନା ପରି ।

ବୋହିଲେ ନୟନୁ ଟୋପିଏ ଲୁହ, ବୁକୁତଳେ କାର ଲାଗିଲେ ବ୍ୟଥା

ଆଶ୍ୱାସନାର ପୀୟୁଷ ଢାଳି ଲକ୍ଷ ଓଠ କହଇ କଥା ।

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେ

ପଡ଼ିଗଲେ ଯହିଁ ଟେକିବା ପାଇଁ ଲକ୍ଷ ହାତ ସରାଗେ ଯାଏ !

ସୁପ୍ତ ଯେଉଁଠି ଉଠଇ ଚେଇଁ କି ଅବା ବିଜୁଳି ପରଶ ଲଭି

ପ୍ରତି ଅନ୍ତର ସୃଜୁଚି ଯହିଁ କଳ୍ପଲୋକର କନକ ଛବି ।

ଜଟିଳ କୁଟିଳ ବସୁନ୍ଧରା ଭାଙ୍ଗି ମୁଁ ତାହା ପାଏ ହେ ପାଏ

କାହିଁ ସେ ରାଇଜ କାହିଁ ସେ ଭୂଇଁ ଜୀବନ ଯେଉଁଠି ଜୀବନ ଚାହେ ?

Image

 

ବହୁଦୂରେ

 

ଧରାରେ ମଣିଷ ରହିଅଛୁ ତୁହି ଜୀବନର ବହୁଦୂରେ

ପ୍ରାଣ ବିମୋହନ ଗନ୍ଧ ଯେଉଁଠୁ ଅବାରିତ ହୋଇ ସ୍ଫୁରେ

ତୋହର ଶକ୍ତି ତୋହର ସାଧନା

ଢାଳେ ଧରଣୀରେ ଅସୀମ ବେଦନା

ବୁଝି ତୁ ପାରୁନୁ ବୁଝି ତୁ ପାରୁନୁ

ପବନ ଚକ୍ର ପରି ତୋର ମଥା

ସେ କେଉଁ ମୂଲକେ ଘୂରେ

ଧରାର ମଣିଷ ରହିଅଛୁ ତୁହି ଜୀବନର ବହୁଦୂରେ !

ଡାକିଲେ ତୋରେ ତ ଶୁଭୁନାଇଁ ଡାକ କି ନିଶା ପିଇଚୁ କହ ?

ଚଉଦିଗେ ଖାଲି ସୃଜୁଅଛୁ ମରୁ ଭୀଷଣ ଦୁର୍ବିସହ !

ପ୍ରାଣଭରା ହସ ନାଇଁ ତୋ ଅଧରେ

ଅମୃତ ନାଇଁ ତୋ’ କଥା ପଦରେ

ଆଡ଼ମ୍ବର ଓ ଅହମିକା ଧରି

ଫାଟି ପଡ଼ୁଅଛୁ କହ କିପାଇଁ ?

ଅହରହ ଅହରହ

ଚଉଦିଗେ ଖାଲି ସୃଜୁଅଛୁ ମରୁ ଭୀଷଣ ଦୁର୍ବିସହ !

ହେମହର୍ମ୍ୟର କୋଳେ ସେ’ କେଉଁ ତୁଳି ତଳ୍ପରେ ଶୋଇ

କି ମଧୁ ସ୍ୱପ୍ନ ଦେଖୁଅଛୁ ତୁହି ପାଷାଣୁ କଠିନ ହୋଇ

ମଣିଷ ରକତ ଏତେ କିରେ ମିଠା

ପିଇ ପିଇ ତୋର ଭାଜୁ ନାଇଁ ଚିଟା !

କରୁଚୁ ଚିନ୍ତା ପିଇବୁ ଆହୁରି

ଯେତେଦୂର ପାରୁ ଏ ମାଟି ଉପରେ

ଅତି ନିର୍ମମ ହୋଇ

ହେମହର୍ମ୍ୟର କୋଳେ ସେ ଯେ କେଉଁ ତୁଳି ତଳ୍ପରେ ଶୋଇ !

ଆଖିଫେଇ ଚାହାଁ ଅଭାବ ଭିତରେ ସନ୍ତୁଳି ହୋଇ ଖାଲି

କାନ୍ଦୁଚି ଏଇ ଜୀର୍ଣ୍ଣ କୁଟୀରେ କାହାର ବିଧବା ନାରୀ

ଶିଶୁଟିଏ କାର ଗଣିହୁଏ ହାଡ଼

କେତେଦିନ ଅବା ଆୟୁଷ ତାହାର

ପଡ଼ିଶା ଘରର କୁଳବୋହୂ ଚାହାଁ

ପେଟକୁ ମୁଠିଏ ନପାଇ କିଭଳି

ସହରେ ସାଜିଛି ଦାରୀ

ଆଖି ଫେଇ ଚାହାଁ ଅଭାବ ଭିତରେ ସନ୍ତୁଳି ହୋଇ ଖାଲି ।

ଆହୁରି ତୁ ଚାହାଁ ବେକାର ରହି କେ’ ତରୁଣ ଯୁବକ ଜଣେ

ଗଳେ ରସି ଦେଇ ଆଖିବୁଜିଅଛି ନିଃସ୍ୱ କୁଟୀର କଣେ

କାହା ପିଲା ଝିଲା ଭୋକ ଉପବାସ-

ସହି ନ ପାରି କେ’ ଯାଇ ପରବାସ

ଫେରି ନାହିଁ ଆଉ ଫେରିନାଇଁ ଆଉ

କାନ୍ଦୁଚି ତା’ର ତରୁଣୀ ଭାରିଜା

ପ୍ରତିଦିନ ପ୍ରତିକ୍ଷଣେ !

ଆହୁରି ତୁ ଚାହାଁ ବେକାର ରହିକେ ତରୁଣ ଯୁବକ ଜଣେ !

ଦଳ ଦଳ ଦଳ ସର୍ବହରା ଯେ ପଥେ ଘାଟେ ଚାହାଁ ଚାହାଁ

ଦୁନିଆରେ ନାଇଁ ତାଙ୍କର କିଏ କରିଦେବା ପାଇଁ ଆହା !

କେଉଁଗଛ ତଳେ ହୋଟେଲ ଦୁଆରେ

ପଡ଼ିଅଛନ୍ତି ସାତ ନାରଖାରେ

ମଲେ ସେ ମରିବେ ଜୀଇଲେ ଜୀଇବେ

ନିରାଶ୍ରୟର ଚିରଦିନ ଧରି

କେହି ହୁଏନାଇଁ ସାହା ।

ଦଳ ଦଳ ଦଳ ସର୍ବହରା ଯେ ପଥେ ଘାଟେ ଚାହାଁ ଚାହାଁ ।

ଦିଶୁନାଇଁ ତତେ ବୁଲନ୍ତି କେତେ ତରୁଣ ବାଳକ ଦଳ

ବୁକୁତଳେ ନାଇଁ ଉନ୍ମାଦନା କି ଦେହେ ନାଇଁ ତେଜବଳ !

ମୁଖମଣ୍ଡଳେ ଲାବଣ୍ୟ ନାଇଁ

ଚାହିଁଲେ କାହିଁ ତ ହୁଏ ନାଇଁ ଚାହିଁ !

କାହାକୁ ନେଇ ଏ ପୃଥିବୀ ହସିବ

ଉଜ୍ଜ୍ୱଳ କରି ଗଢ଼ିବ ତାହାର

ଭବିଷ୍ୟତର ଘର

ଦିଶୁନାଇଁ ତତେ ବୁଲନ୍ତି କେତେ ତରୁଣ ବାଳକ ଦଳ !

ପୁଞ୍ଚି ଉପରେ ପୁଞ୍ଚି ତୋହର ଲାଗିଚୁ ବଢ଼ାଇବାରେ

ଦେଖୁନୁ ଲକ୍ଷ ଜୀବନ କିଭଳି ମ୍ରିୟମାଣ ଅନାହାରେ ?

ଲକ୍ଷ ଜୀବନ ନୀରବ ବୋବାଳି

ତତେ କିରେ ଦିଏ ଅମୃତ ଢାଳି ?

ବଞ୍ଚିଚୁ ତୁହି କିଭଳି କହତ

ମଣିଷ ବୁକୁର ପୁଣ୍ୟ ରକତ

ପଚିଛି କି ତୋହଠାରେ ।

ପୁଞ୍ଜି ଉପରେ ପୁଞ୍ଜି ତୋହର ଲାଗିଚୁ ବଢ଼ାଇବାରେ ।

କୋଟି ବୁକୁତଳ ହସି ଉଠିଲେରେ ଫୁଟିବ ତୋର ଯେ ହସ

ସେ କି ନୁହେଁ ତୋର କୋଟିନିଧି ପରି ଜୀବନର ମଧୁରସ ?

ତାକୁ ଛାଡ଼ିଦେଇ ସାଜି ସଇତାନ

ଗାଉଚୁ ତୁ ଖାଲି ନରକର ଗାନ

ନିଜ ହାତେ ତୁହି ନିଜକୁ ହରାଇ

ଜାଣିହୁଏ ନାଇଁ ପାଉଚୁ କି ଅବା

ପ୍ରାଣଭରା ପରିତୋଷ

କୋଟି ବୁକୁତଳେ ହସି ଉଠିଲେରେ ଫୁଟିବ ତୋର ଯେ ହସ ।

ଅସୀମ ଆଖିରୁ ଲୁହ ପୋଛିଦେଇ ବକ୍ଷେ ନେଏରେ ଭିଡ଼ି !

ଅସୀମ ଶୁଷ୍କ ମଳିନ ବଦନେ ଫୁଟାରେ ପ୍ରାଣର ଶିରୀ

ତୋହରି ଧରାର ତୋର ଏ ମଣିଷ

କାହିଁକି କାହିଁକି ହେଉଚୁ ତୁ ବିଷ ?

ସବୁରି ମାଂସ ହାଡ଼ ତଳେ ତଳେ

ଗୋଳି ହୋଇ ଯାଆ, ସ୍ୱର୍ଗର ସୁଧା-

ପଡ଼ିବ ତୋ ପାଖେ ଛିଡ଼ି

ଅସୀମ ଆଖିରୁ ଲୁହ ପୋଛିଦେଇ ବକ୍ଷେ ନେଏରେ ଭିଡ଼ି !

Image

 

ସର୍ବହରା

 

–୧–

ସେ’ଯେ ସର୍ବହରା ସେ’ଯେ ସର୍ବହରା ।

ତାରେ ପଚାରେ ନାହିଁ ଏଇ ନିଖିଳ ଧରା !

ତାର ଦୁର୍ବହ ଦୁର୍ଦ୍ଦଶା ବେଦନା ଧରି

ସେତ ଚାଲିଚି ନିତି ସେତ ଚାଲିଚି ନିତି

ତାରେ ପାଏନା କେହି ଭଲ ହୃଦୟ ଭରି !

ତା’ରେ ବୁଝେନା କେହି ତା’ରେ ଜାଣେନା କେହି

କେହି ଘୁରାଏ ନାଇଁ ମଥା ତାହାକୁ ନେଇ

ସେଯେ ସର୍ବହରା ସେଯେ ସର୍ବହରା

ତାର ଜୀବନ ଖାଲି ବ୍ୟଥା ବେଦନା ଭରା !!

–୨–

ଫୁଲ, ଫୁଟିଲେ ଅବା ତା’ର କି ଆସେ ଯାଏ ?

ସେ’ବା, କି ଶିରୀ ପାଏ ଚୋରା ଚଇତି ବାଏ ?

ଆସୁ ସଞ୍ଜ ଧରି ତାର ମୋହନ ମାୟା

ଆସୁ ସକାଳ ଘେନି ତାର ପାଟଳ ଛାୟା !

କଳ- କଣ୍ଠତୋଳି ଗାଉ ବିହଗ ଗୀତି

ଜାଗୁ ଜନକ ଶିରୀ ଏଇ ମାଟିରେ ନିତି,

ତାର ବକ୍ଷତଳ ନାଇଁ ଉଲୁସି ଉଠେ

ସେ’ତ ପାଏନି କାହିଁ ହେଲେ ଖାଇବ ମୁଠେ !

ସେ’ଯେ ସର୍ବହରା ସେ’ଯେ ସର୍ବହରା !

ତାର ଜୀବନ ଖାଲି ବ୍ୟଥା ବେଦନା ଭରା !

–୩–

ତୁମ ଦୁଆରେ ଯେବେ ପାଦ ପକାଏ ଯାଇ

ମାଗେ ମୁଠିଏ ହେଲେ କେଡ଼େ କରୁଣେ ଚାହିଁ !

ତୁମ ଚିତ୍ତ ତଳେ ନାଇଁ ଚିନ୍ତା ଛୁଏଁ

ଖାଲି ଘଉଡ଼ି ଦେବା ପାଇଁ ଇଚ୍ଛା ହୁଏ

ତୁମେ ଘଉଡ଼ି ଦେଲେ ସେହୁ ଦୂରେଇ ଯାଏ

ତାର ଲୋଚନୁ ଟୋପେ ଲୁହ ଗଡ଼େନି ହାଏ !

ସେ’ଯେ ସର୍ବହରା ସେ’ଯେ ସର୍ବହରା

ତାର ଜୀବନ ଖାଲି ବ୍ୟଥା ବେଦନା ଭରା !

–୪–

ଏଇ ମାଟିରେ ଦିନେହେଲେ ମଣିଷ ପରି

ସେ’ତ ଚାଲିନି ଓଠେ ହସ ଟିକିଏ ଭରି !

ତା’ର ମନର କେଉଁ ଦୂର ଗୋପନ ପୁରେ

କେତେ ଆଘାତ ବାଜିଉଠେ କରୁଣ ସୁରେ !

ସେ’ତ କହୁନି କାରେ ସେ’ତ କହେନି କା’ରେ

ସବୁ କହିବା ପାଇଁ ତା’ର କେ’ଅଛି ହା’ରେ !!

କିଏ ଶୁଣିବ ତାକୁ ଅବା ହୃଦୟ ଭରି

କିଏ ଦେଖିନି କାହିଁ ଅବା ଚାଲେ ତା’ ତରୀ

ସେ’ତ ସର୍ବହରା ସେ’ତ ସର୍ବହରା

ତାର ଜୀବନ ଖାଲି ବ୍ୟଥା ବେଦନାଭରା !!

–୫–

ତା’ର ଶୁଷ୍କ ଦିହ ତା’ର ଶୁଷ୍କ ମନ !

ତା’ର ଶିକ୍ଷା ନାଇଁ ତା’ର ଦୀକ୍ଷା ନାଇଁ

ତା’ର ଲକ୍ଷ୍ୟ ଜାଗେ ନାଇଁ ତୀକ୍ଷ୍‍ଣତମ !

ତା’ର ହିଂସା ଜାଗେ ନାଇଁ କାହାରି ପାଇଁ !

ତା’ରେ ରହିଚି ଘେରି ଶୋକ ଦୁଃଖ ଜରା

ସବୁ ବାଧାରେ ସେହୁ ଚିର ବାଧକା ପରା !

ସବୁ ଦଇନି ତା’ର ଦୀନ ମଥାରେ ଭରି

ସେ’ତ ଚାଲିଚି ଭିନେ ଏକ ଜନ୍ତୁ ପରି !

ତା’ର ଭାଗ୍ୟ ଗୋଟି ଫେରି ଆଣିବା ପାଇଁ

ତା’ର କି ଅଛି ଚାରା ଏଇ ଧରାରେ ହାଇ !

ସେ’ତ ସର୍ବହରା ସେ’ତ ସର୍ବହରା

ତା’ର ଜୀବନ ଖାଲି ବ୍ୟଥା ବେଦନାଭରା !

 

–୬–

ସେହୁ ଆସିଛି କାଟି ଯେତେ ଝଞ୍ଜା ଝଡ଼

ସେତେ ଝଞ୍ଜା ବହେ ପୁଣି ପ୍ରବଳତର !

ସେଇ ଦେଖୁଛି ଯେବେ ଟିକେ ଆଶାର ଛଇ

ସେତେ ନିଆଶା ସୁଅ ଆସେ ସୁଦୂରୁ ବହି !

ସେତ ଭାଙ୍ଗି ପଡ଼ିଅଛି ବହୁତ ବାର

ଯେତେ ଚେଷ୍ଟା କଲେ ସେତ ପାରୁନି ଉଠି

ଖାଲି ହାହାକାର ଯାହା ହେଉଚି ସାର

ତା’ର ଭଙ୍ଗା ଦେହ ଆଉ ଭଙ୍ଗା ମନ-

ଧରି ଚାଲିଚି ଏ ମାଟିରେ ସକଳ କ୍ଷଣ

ସେ’ଯେ ସର୍ବହରା ସେ’ ଯେ ସର୍ବହରା

ତା’ର ଜୀବନ ଖାଲି ବ୍ୟଥା ବେଦନାଭରା !

–୭–

ନିତି କାନ୍ଦୁନିକି ତା’ର ବକ୍ଷତଳେ

ପ୍ରତି ରକ୍ତକଣା ସତେ କି କଲବଲେ !

ନିତି ଛଟ୍ ପଟେଇ ସେ’କି ଯାଉନି ହୋଇ ?

ପଥେ ଚାଲିଲା ବେଳେ କୋଟି ବେଦନା ବୋହି !

ବାଣୀ ଜାଗୁନି କିରେ ତା’ର ବକ୍ଷତଳେ

ସତେ କି ହୀନିମାନେ ଅଛି ଧରଣୀପରେ !

ତାର ବସୁଧା ପରେ ଲବେ ନାଇଁରେ ଥାନ

ନୁହେଁ ସେ ଲାଗି କିରେ ତାର ଆକୁଳ ପ୍ରାଣ !

ତା’ର ବନ୍ଧୁ ନାଇଁ ତା’ର ସୋଦର ନାଇଁ

ସେ’ବା କରିବ କିସ ? ଖାଲି ରହିଚି ଚାହିଁ !

ସେତ ସର୍ବହରା ସେତ ସର୍ବହରା

ତାର ଜୀବନ ଖାଲି ବ୍ୟଥା ବେଦନାଭରା ।

–୮–

ସେ’ତ ଚିନ୍ତା ଧାରା ନୁହେଁ କବିର ଖାଲି

ସେ’ ତ ତୁମରି ଏଇ ମାଟି ଜୀବନ ନାଡ଼ି !

ସେ’ତ ଶିଳ୍ପୀ ତୁଳୀମୂନେ ଚିତ୍ର ନୁହେଁ

ସେ’ତ ଗୋଟିଏ ଧାରା ତୁମ ଅସୀମ ସୁଏ !

ସେ’ତ ଛିନ୍ନ ନୁହେଁ ସେ’ତ ଭିନ୍ନ ନୁହେଁ

ସେ’ତ ଭାସୁଚି ତୁମ ଏଇ ସାଗର ସୁଏ !

ତୁମେ ଚାଲିଚ ଦୂରେ ତୁମ ତରଣୀ ବାହି

ତୁମ ତରଣୀ ପାଖେ ସେ ଯେ ରହିଚି ଚାହିଁ

ସେ’ତ ଉବେଇ ଟୁବେଇ ହୋଇ ଯାଉଚି ବୁଡ଼ି

ତୁମେ ଯାଉଚ କେଉଁ ଦୂର କନକ ପୁରୀ ?

 

 

 

ସେ’ଯେ ସର୍ବହରା ସେ’ଯେ ସର୍ବହରା

ତାର ଜୀବନ ଖାଲି ବ୍ୟଥା ବେଦନାଭରା ?

Image

 

କାହାର ଏ ଦୁଇଗୋଟି ପିଲା ?

 

କାହାର ଏ ଦୁଇଗୋଟି ପିଲା ଖେଳୁଚନ୍ତି ଏ ସଡ଼କ ପରେ

ଚାହିଁଲି ମୁଁ ଅକସ୍ମାତେ ଯେବେ ଚକ୍ଷୁ ମୋର ଭରିଗଲା ଜଳେ,

ଖାଇବାକୁ ଅନ୍ନ ନାଇଁ ମିଳେ ହାଡ଼ ଦିଶେ ଗୋଟି ଗୋଡି ଦିହେ

କିଏ ବୁଝେ ସେମାନଙ୍କ ବ୍ୟଥା, ହେପାଜତ କିଏ ଅବା ନିଏ ?

କୋଟା କୁଟି, କାଠ ଆଣି ବଣୁ ମାଆ ପିଲା ଦୁଇରେ ଉଡ଼ାଏ

ଦୁଧ ଟୋପେ ପାଇବେ କେଉଁଠୁ ଘରେ ନାଇଁ କଉଡ଼ି କଡ଼ାଏ,

ପିଲା ଦୁଇ ବୁଲୁଚନ୍ତି ଏଥି ଦିହେ ନାଇଁ ଜୀବନ ତାଙ୍କରି

ଫୁଙ୍କି ଦେଲେ ଉଡ଼ି ଯିବେ ପରା ନାରଖାରେ ଆସିଚନ୍ତି ବଢ଼ି

ଓଠେ ତାଙ୍କ ଫୁଟୁଥାନ୍ତା ହସ ଖାଇପିଇ ଦିଶୁଥାନ୍ତେ ତୋରା

ରୋଗେ ପେଟ ପଡ଼ିଚି ବାହାରି ଦିପ୍ତିହୀନ ଦିଶେ ଆଖି ଡୋଳା

ଦାରିଦ୍ର୍ୟର ବିକଳାଙ୍ଗ ଛାୟା ପ୍ରତି ଅଙ୍ଗେ ଉଠେ ନୃତ୍ୟ କରି

ପାଷାଣ ବି ଚାହିଁ ଦେଲେ ଥରେ କରୁଣାରେ ଉଠିବ ତରଳି

ଜନମରୁ ଅନ୍ଧକାର କୋଳେ ଆସିଚନ୍ତି ହୀନିମାନେ ବଢ଼ି

ସେ ଅନ୍ଧାରେ ଝଡ଼ିଯିବ ଦିନେ ଏଇ ବେନି ଜୀବନର କଳି !

ମୋ ମାଟିର ଏ ଦୁଇଟି ପିଲା କେ କହିବ ସ୍ୱର୍ଣ୍ଣଦୀପ ପରି

ନ ଜଳିବେ ଦିନେ ମୋ ମାଟିରେ ଚତୁର୍ଦ୍ଦିଗେ ଆଲାକ ବିତରି

କେ, କହିବ ବୀଣା ତାନ ଏଠୁ ନ ଫୁଟିବ ମୁଗ୍‌ଧ କରି ଧରା

କେ ନ ଜାଣେ ! ଏମାନଙ୍କଠାରେ କି ସମ୍ପଦ ରହିଥିବ ପରା !

ଦେଶ ମୋର ଚାହାଁ ଭଲ କରି ଆସ ଆଜି ଏମାନଙ୍କ ପାଖେ

ଏମାନଙ୍କ ଅନ୍ତର ବେଦନା ଦୁଃସହ କି ତିଳେ ନାଇଁ ଲାଗେ ?

ୟାଙ୍କ ଓଠେ ଫୁଟାଅ ହେ ହାସ ପ୍ରାଣେ ଦିଅ ନବ ତେଜ ବଳ

କଳତାନ କରି କରି ବିଶ୍ୱେ ଛୁଟୁୟାଙ୍କ ଜୀବନ ନିର୍ଝର

ବିଳାସ ଓ ଐଶ୍ୱର୍ଯ୍ୟ ଭିତରେ କେତେ କାହିଁ ଅର୍ଥ ଖର୍ଚ୍ଚ ହୁଏ

ଏମାନଙ୍କୁ ଢୋକେ ଦେବା ପାଇଁ ପଛଘୁଞ୍ଚା ଦେବା ଠିକ୍ ନୁହେଁ;

ଦେଶ ମୋର ଗର୍ବ କର ତମେ ସଭ୍ୟତାର ପତାକା ଉଡ଼ାଇ

ତୁମ ସେଇ ସଭ୍ୟତା ଭିତରେ ଏଇମାନେ ଯାଆନ୍ତି କି ନାଇଁ ?

ଅନାହାରେ ଜୀବନର ଫୁଲ କେତେ ଆହା ମରି ମରି ଯାଏ

ଆଖି ମୋର ଭରି ଆସେ ଜଳେ ଏମାନଙ୍କୁ ଯେବେ ସ୍ମରୁଥାଏ ।

Image

 

କର ତାରେ ଆପଣାର !

 

କରନା ତାହାରେ ଦୁର୍ ଦୁର୍ ମାର୍ ମାର୍,

ସେ ଯେ ଧରଣୀର ଗୋଟିଏ ଅଶ୍ରୁଧାର !

କେହି ଜଣେ ତା’ର ନାଇଁ ଆପଣାର

ବୁଝିବାକୁ ଲବେ ବେଦନାର ଭାର

ଶତ ବେଦନାର କଷାଘାତେ ତାର

ଭାଜିଯାଏ ମେରୁହାଡ଼

କରନା ତାହାରେ ଦୁର୍ ଦୁର୍ ମାର୍ ମାର୍ !

ସଭିଁଏ କାହିଁକି ନିଠୁର ଚାହାଣି ଢାଳି

ନିର୍ମମେ ତା’ରେ ଦେଉଅଛ ଏତେ ଗାଳି !

ସେ’କି ଏ ମାଟିର ନୁହେଁ କୋଳ ସଙ୍ଖାଳି ?

ରହିବାକୁ ସେ କି ନୁହେଁ ଏଠି ଅଧିକାରୀ ?

ଏଇ ପୃଥିବୀରେ ତୁମରି ପରି ସେ

ରକ୍ତ ମାଉଁସ-ଧାରୀ ।

ରୁଗ୍‌ଣ ପଙ୍ଗୁ ତା’ ଦେହର ତଳେ ତଳେ

ମୁଗ୍‌ଧ ମଧୁର ଅନ୍ତରଟିଏ ଢଳେ

କାନ୍ଦି ଉଠଇ ସେଇ ଅନ୍ତର

ନୟନୁ ବୁହାଇ ଲୁହ ଝରଝର

ମଣିଷଠୁ କଣ ମଣିଷ ଏଭଳି

ଭର୍ତ୍ସନା ଆଶା-କରେ ?

ରୁଗ୍‌ଣ ପଙ୍ଗୁତା ଦେହର ତଳେ ତଳେ

ମୁଗ୍‌ଧ ମଧୁର ଅନ୍ତରଟିଏ ଢଳେ !

ହେଉ ସେ ରୁଗ୍‌ଣ ହେଉ ସେ ପଙ୍ଗୁ

ମିଳୁ ତା’ ମାଂସ ହାଡ଼

ସେ ମିଳା ମାଉଁସୁ ଝରି ପଡ଼ୁ ପୋକ

କରି ତାରେ ନାରଖାର

ଶତ ଦାରିଦ୍ର୍ୟ ଅଭାବ ଭିତରେ

ତରଣୀ ତାହାର ଚାଲୁ କଲବଲେ

ତଥାପି ତାହାଠି ମଣିଷ ଅଛିରେ

କର ତାରେ ଆପଣାର !

ହଉ ସେ ରୁଗ୍‌ଣ ହେଉ ସେ ପଙ୍ଗୁ

ମିଳୁ ତା’ ମାଂସ ହାଡ଼ ।

Image

 

ଛତର-ଖାଇ

 

ଛତର ଖାଇ ଖାଇ ଛତରଖାଈ ତା’ର ନାଆଁ

ନାଇଁ ତା’ ଜାତି ପତି ନାଇଁ ତା’ ଜମି ବାଡ଼ି ଗାଆଁ

ଛିଣ୍ଡା କନା ଖାଲି ଗୁଡ଼ାଇ ହୋଇ ଥାଏ ଦେହେ

କରିବାପାଇଁ ଆହା ତାହାର ହୋଇ ନାଇଁ କିଏ !

କନାର ବୁଜୁଳି ସେ କାଖରେ ଥାଏ ନିତି ଯାକି

ଭଙ୍ଗା ଟିଣ ଗିନା ହାତରେ ଧରି ଯାଏ ମାଗି ।

କାହାର ପିଣ୍ଡାରେ ଅବା କାହା ଗଛତଳେ ଶୁଏ

ଉପାସେ କେବେ ରହେ କାହାଠୁ ମାଗି ଅବା ଖାଏ ।

ମୁଣ୍ଡବାଳ ତା’ର ଉଡ଼ୁ ଯେ ଥାଏ ଫୁରୁଫୁରୁ

ଗୋଟିଏ ପ୍ରେତପରି ଦିଶୁ ସେ ଥାଏ ଅବା ଦୂରୁ ?

କେଉଁଠି ନଳା ତଳେ ଅଇଁଠାଭାତ ଥିଲେ ପଡ଼ି

ଗୋଟାଇ ଖାଉଥାଏ, ତା’ ବ୍ୟଥା କିଏ ପାରେ କଳି ?

ନେହୁରା ହୋଇ କାରେ ମାଗଇ ଚିରା କନାଟିକେ

ସକାଳୁ ସଞ୍ଜ ଯେ’ ବୁଲୁ ସେ ଥାଏ କେତେ ଦିଗେ ।

ରାସ୍ତା କଡ଼ ଧୂଳି ଛେପ ଓ ଖଙ୍କାରେ କାହିଁ

ଶୋଇ ସେ ପଡ଼ି ଥାଏ, ତାହାର ଗାଁ ଘର ନାହିଁ !

ତା’ ଦେହ ଭଣ ଭଣ ନିଇତି ଗନ୍ଧାଉ ଥାଏ

ସବୁଠୁ ଛି ଛାକର ନିୟତ ଧରଣୀରେ ପାଏ ।

ଛତର ଖାଇ ଖାଇ ଛତରଖାଈ ତା’ର ନାଆଁ

ନାଇଁ ତା’ ଜାତିପତି ନାଇଁ ତା’ ଜମିବାଡ଼ି ଗାଆଁ ।

ଭଗିନୀ ବୋଲି ତା’ରେ କିଏ ସେ ଡାକିନାଇଁ ତିଳେ

ମାଉସୀ ମାଆ ଡାକ ଶୁଣିନି ଲବେ ଧରଣୀରେ !

କାହାର କଣ୍ଠୁ ସେ ସେନେହ ବୋଳା ମଧୁ ଭାଷା

ଶୁଣିନି, ଶୁଣିବାକୁ କଣ୍ଠେ ଜାଗିଥିବ ଆଶା ।

‘ପ୍ରାଣର ପ୍ରିୟା ମୋର’ ଶୁଣିନି ଏଇ ବାଣୀ ବାରେ

ଏ ଭଳି ବାସନା ତା’ କଳ୍ପନାର ପର-ପାରେ ।

ଏ ଯାଏଁ ଭରମେ ସେ ହୋଇନି କା’ର ଖୁଡ଼ି ନାନୀ

ଛତରଖାଈ ବୋଲି କୁହା ସେ ହୁଏ ଦିବା-ଯାମୀ ।

ପୃଥିବୀ ଉପରେ ସେ ତ୍ୟକ୍ତ ପ୍ରାଣୀଟିଏ ପରି

ଚାଲିଚି, ଦିନପରେ ଦିନ ଯେ ଯାଉଅଛି ଗଡ଼ି

ଜଟିଳ ପ୍ରଶ୍ନ ଯେ ଏଇଠି ଜାଗେ ବୁକୁତଳେ

ନ ମରି ବଞ୍ଚିଚି କାହିଁକି ଏତେ କଲବଲେ ?

ବରଂ ସେ ମରିଗଲେ ଜଗତେ ପାଇଯିବ ତ୍ରାହି

ତା’ ଭଳି ଜୀବନରେ ମୂଲ୍ୟ ତିଳେ ହେଲେ ନାଇଁ ।

କି ଭଳି ମରିଯାଉ ଏଭଳି ବିଚାରିଲା ବେଳେ

କି ଭଳି ବଞ୍ଚିବ କେହିତ ବିଚାରିନି ହେଳେ ?

କାହାର ଜୀବନର ମୂଲ୍ୟ ନାଇଁ ମୋତେ କୁହ !

ହେଉ ସେ ବ୍ୟଥାମୟ ହେଉ ସେ ଯେତେ ଦୂରୁବହ ।

ଜୀବନ ଯେତେହେଉ ଅସୀମ ଲାଞ୍ଛନା ଭରା

ଅଳିଆ ଗଦା ପରି ଫିଙ୍ଗି ଦେଉ ତା’ରେ ଧରା ।

ତଥାପି ଜୀବନ ସେ ତହିଁରେ ମିଠା ଅଛି ଭରି

ପାରିବ ପାରିବ ସେ ଧରଣୀ ଆମୋଦିତ କରି !!

ତା’ ଓଠେ ଭାଷା ଅଛି, ସେ ଭାଷା ଶୁଣେନି କେ’ କାନେ

ବୁକେ ତା ଆଶା ଜାଗେ ପରଶି ଯାଉନି କା’ ପ୍ରାଣେ ।

ଅଛି ତା’ ଅନ୍ତର ଫୁଲର ପରିମଳ ପରି

ପୃଥକ୍‍ ରହିଚି ସେ ନ ଯାଇ ପାରି ସଞ୍ଚରି !

ଅଛି ତା’ ଚାହାଣିରେ ଜୀବନ ଭରା ମଧୁ ଛଇ

ଅସୀମ ଅବସାଦେ ପଡ଼ିଚି ଚିରକାଳ ଲଇଁ ।

ସେନେହ ଉତ୍ସ ଯେ ରୁଦ୍ଧ ତା’ ମରମ ତଳେ

ବହି ସେ ଯିବାପାଇଁ ପାଉନି ପଥ ଅବିରଳେ ।

ଜନନୀ ହୋଇ କୋଳେ ଧରିବାପାଇଁ ଏକ ପୁଅ

ଶୁଷ୍କ ନୟନେ ତା’ ଜାଗୁନି କେତେବାର ଲୁହ ?

ହୃଦୟ ଦେଇକା’ରେ ସେନେହେ ବରି ନେବାପାଇଁ

ଖୋଜୁଚି ବକ୍ଷ ତା’ କାହାରେ ଲବେ ପାଉନାହିଁ ।

କୁଟୀରେ ରହି କା’ର କରିବାପାଇଁ ଜନସେବା

ଲୋଡ଼ିଲେ ହେଲେ ତାକୁ ସୁଯୋଗ ଦେଉଅଛି କେ’ବା ?

Image

 

ଫକୀରା ଜେନା

 

ବଞ୍ଚିଚି ଫକୀରା ଜେନା ତଥାପି ବଞ୍ଚିଚି

ତା’ ଦରିଦ୍ର ଜୀବନର ଇତିହାସ ଧରି ।

ଘରେ ତା’ର କିଏ ?

ଶୂନ୍ୟ ଘର, କେହିନାଇଁ କେହିନାଇଁ–

ଜଣେ ସୁଦ୍ଧା କେହି ନାଇଁ

ତୋରାଣି ଟିକିଏ ଘରେ ବାଢ଼ିଦେବା ପଇଁ !

ଫେରିଲେ ସେ ମୂଲ ଲାଗି

ଭୋକେ ଯେବେ ହେଉଥାଏ ଆଉଟୁ ପାଉଟୁ

ଶୋଷେ ଯେବେ ହଂସା ତା’ର ଯାଉଥାଏ ଉଡ଼ି

କ୍ଷୁଦ୍ର ତା’ର ଦରିଦ୍ର କୁଟୀରେ

ବସିଯାଏ ଥକାମାରି କେତେବେଳ ଯାଏଁ

ଆଖିରୁ ଦି’ଧାର ଲୁହ ଝରି ପଡ଼େ

ବିକଳେ ମଉନେ ।

ଅତୀତର କେତେ ସ୍ମୃତି ଆଖି ଆଗେ ନାଚି ଯାଏ

ଗୋଟି ଗୋଟି ହୋଇ ।

ସବୁଥିଲା ତାର–

ପୁଅ ଥିଲା, ଝିଅ ଥିଲା,

ଥିଲା ତାର ରୂପବତୀ ଗୁଣବତୀ ଗୋଟିଏ ଭାରିଜା ।

ପୁଅ ତାର ?

ଭେଣ୍ଡାପୁଅ, ବୋଳିଦେଲା ପରି ବାହା

କରି କରି ଆସୁଥିଲା ପାଇଟି ପତର ।

ଝିଅ ତାର ?

ଆସନ୍ତା ଏ ମଗୁଶିରେ ହୋଇଥାନ୍ତା ବାହା ।

ତାର ସ୍ତ୍ରୀ ?

ମୂଲ ଲାଗି ଯେତେବେଳେ କ୍ଳାନ୍ତ ପଦେ

ଫେରି ଆସେ ଗୃହେ

ଜାଉ, କାଞ୍ଜି, ଭାତ ଓ ତୋରାଣୀ

ବାଢ଼ିଦିଏ ସରାଗେ ଆଦରେ

ଦିନକର ସବୁକ୍ଳାନ୍ତି, ଅବସାଦ

ଅଭାବର ଗୁରୁ ନିଷ୍ପେଷଣ

ଭୁଲିଯାଏ ନିମିଷକେ ସେ ଫକୀରା ଜେନା ।

ସବୁ ଦୁଃଖ ଦାରିଦ୍ର୍ୟ ଭିତରେ

ତାର ଏଇ ମଧୁର ସଂସାର

ସାତସରଗରୁ ବଳି ଥିଲା ଯେହ୍ନେ ଜୀବନର ପ୍ରିୟ ।

ଅଭାବ ଦୈନ୍ୟରେ ଯେବେ

ଯାଉଥିଲା ଝାଉଁଳି ତା’ ଗୋଟିକ ଅନ୍ତର

ଏଇ-ଏଇ-ସଂସାରଟି ଦେଉଥିଲା ଯେହ୍ନେ ତାରେ

ସଞ୍ଜୀବନୀ ଧାରା-

ସେ ବରଷ ଭାରିଜାଟି ବୁଜିଦେଲା ଆଖି

ହେଲା ଯେବେ ସନ୍ନିପାତ ।

କେତେ କାହୁଁ କରିବ ସେ ଓଷଦ ପତର

ଏତେ ବା ପଇସା କାହିଁ ?

ଦେବାପାଇଁ ପଥି ବା ପାଚନ;

ଛ’ମାସ ନ ଯାଉଁ

ପୁଅପରି ପୁଅ ତାର

ଦିନକର ହଇଜାରେ

ଶୂନ୍ୟ କରି ଦରିଦ୍ର ସଂସାର ଗଲା ଆର-ପାରେ !

ସମ୍ବଳ କାହିଁ ବା ତାର

କରିବାକୁ ତୁରନ୍ତ ଚିକିତ୍ସା ?

ସେଥର ବସନ୍ତ ହେଲା

ଝିଅଟି ତା’ କଲବଲ ହୋଇ

ଚାରିଦିନେ ବୁଜିଦେଲା ଆଖି !

ପୃଥିବୀ ଚାଲିଚି

ତା’ଭିତରେ ଚାଲିଚି ବି ଏ ଫକୀରା ଜେନା

ଆଖି ଲୁହ ଆଖିରେ ତା’ ମରି ମରି ଯାଏ

ବୁକୁର ଅନନ୍ତ ବ୍ୟଥା ବୁକୁତଳେ ଥାଏ

ଯେହ୍ନେ ସ୍ତୂପୀକୃତ ହୋଇ ।

ମନେ ପଡ଼େ କେବେ ପୁଅ

ମନେ ପଡ଼େ କେବେ ବା ଭାରିଜା,

ସମସ୍ତେ ତ ଗଲେ ଚାଲି ଗୋଟି ଗୋଟି ହୋଇ

ରହିଛି ଏ ଭଗ୍ନ ଚାଳୀ ରହିଚି ଏ କାନ୍ଥ ବାଡ଼

ରହିଚି ଏ ମାଟି ।

ଏହାରି ଭିତରେ ଯେବେ ବକ୍ଷ ତା’

ନିଦାରୁଣ ଆଘାତରେ ଯାଏ ଫାଟି ଫାଟି

କିଏ ବୁଝେ ? କିଏ ଜାଣେ ? କିଏ ଆସେ

ଦେବାପାଇଁ ପ୍ରବୋଧନା ବାଣୀ !

ସୁଦୂର ପଲ୍ଲୀର ସେ ଯେ

ଅବଜ୍ଞାନ ପ୍ରାଣୀ !

ଆଖିକୁ ଦିଶୁନି ତାର କାନକୁ ଶୁଭୁନି

ଦେହେ ଖାଲି କଣ୍ଟା ଅଛି

ବୁକୁତଳେ ଅଛି ତାର

ବେଦନାର ଇତିହାସ

ଚିର ଅଶ୍ରୁମୟ ।

ତଥାପି ଜୀବନ ତାର

ବହିକି ବୈଚିତ୍ର୍ୟ ଭାର

କେଉଁ ମହା ବିଧାତାର

ବୀଣାତାରେ ଥରି

ହୁଏ ଚଞ୍ଚଳ ଅଥୟ ?

Image

 

ନିରନ୍ନ

 

ଯିଏ ଯହିଁ ଚାଲିଗଲ ଆପଣା କୁଟୀରେ ନିରନ୍ନ ଏ ହତଭାଗା ଯିବ କହ କାହିଁ

ଭଗ୍ନନୀଡହୋଇ ସେହୁ ବୁଲଇକି ଏଠି କେହିଜଣେ ଆପଣାରହୋଇ ତା’ର ନାଇଁ

ଶିରେ ଋକ୍ଷ କେଶରାଶି, ଦେହେ ଛିନ୍ନବାସ, ଓଠେ ଦୈନ୍ୟ ବାଣୀ

ଦିଶେ ଜୀର୍ଣ୍ଣ ଅଙ୍ଗଯଷ୍ଟି, ଧରଣୀର ଦୀନହୀନ ଅବଜ୍ଞାତ ପ୍ରାଣୀ

ସୀମାହୀନ ଏ ଯେ ମହା ସୃଷ୍ଟି ତଳେ ତଳେ

ଅବସାଦେ କୋଟିଲୁହ ବିନ୍ଦୁ ଯେବେ ଝରେ

କହିବାକୁ ଫିଟାଇ ମରମ

କିଏ ଅଛି ଆପଣାର ଜନ ?

ବୁକୁ ବ୍ୟଥା ବୁକୁତଳେ

ଚକ୍ଷୁ ଲୁହ ଚକ୍ଷେ ମରେ

ବିଶାଳ ଏ ପଥେ

ଚାଲେ ଅବିରତେ

ଦିନରାତି

ନାଇଁ ସାଥି !

 

ନାଇଁ ତା’ ଆକାଶ ସ୍ପର୍ଶୀ କନକ ସଉଧ ନାଇଁ ତା ଉଆସ ଭରି ଧନ ଦଉଲତ

ନାଇଁ ତା’ ଉଦ୍ୟାନ, ନାଇଁକେଳି ସରୋବର ରାଜହଂସ କ୍ରୀଡ଼ା ଯହିଁରଚେ ଅବିରତ ।

ଆଡ଼ମ୍ବର ଅହମିକା ଶାସନର ରାଜଦଣ୍ଡ ନାଇଁ ତାର ନାଇଁ

ତା’ ବ୍ୟଥିତ ବୁକୁତଳ ଏ ମଣିଷ ସମାଜରେ ମାନପତ୍ର ପାଇଁ

ଥୋଇନାଇଁ ଶତଦାବୀ ଅଭିମାନ ବୋଳା

ଦିନେହେଲେ ଚାଲି କେବେ ତା’ ରକ୍ତିମ ଡୋଳା

ନୀରବ ଇଙ୍ଗିତେ କାହା ପ୍ରାଣେ

ଦେଇନାଇଁ ବ୍ୟଥାହେଲେ ଧାନେ

ନିଜର ଗୌରବ ଯାହା

କହିବାକୁ କାହିଁ ରାହା ?

ଦରିଦ୍ର କାଙ୍ଗାଳ

କିବା ଅଛି ତାର ?

ଦୁଇଧାର

ଲୁହତାର !

 

ଧରଣୀର ପଥେ ପଥେ ବସିଅଛି ଆନନ୍ଦ ବଜାର ଲାଗିଅଛି ନୃତ୍ୟ ଗୀତ ନାଟ

କିଏ ଚାଲେ ବକ୍ଷ ଟେକି ମତ୍ତ ବଇଭବେ କାହାଶିରେ ବନ୍ଧାହୁଏ ନିତି ଜୟପାଟ

ଏକଛତ୍ର ସମ୍ରାଟର ଆସନ ପାଇଁକି ଧରଣୀର ମହା ବକ୍ଷପରେ

କିଏ କେତେ ଲୋଡ଼ିବସେ ଅଭିଯାନ ପରେ ଶତ ଅଭିଯାନ କରେ

କେତେ ଆଶା ଅଭିଳାଷ ସ୍ୱପ୍ନ ସାଧନାର

ମୁଞ୍ଜରି ଉଠଇ କାହା ବକ୍ଷେ ବାର ବାର

କିଏ ଚାହେଁ ଧନଜନ ଜ୍ଞାନ

କିଏ ଚାହେଁ କ୍ଷମତା ସମ୍ମାନ

ନିରନ୍ନ ଦରିଦ୍ର ଏଇ ବିଶ୍ୱେ ତାର ନାଇଁ କେହି

ତାର ବକ୍ଷପୁଟେ ଖାଲି ଯେହ୍ନେ ଫୁଟେ

ମୁଠେ ଭାତ ! ମୁଁ ଅନାଥ !

 

ହାତକେ ଖର୍ପର ଧରି ଆନ ହାତ ଚାଳି ମାଗେ ଦିଅ ବାବୁ ଦିଅ ଗଣ୍ଡେ ଭାତ ମତେ

ଘରୁ ଘରେ କେଡ଼େ ହୀନମାନେ ପାଦଚାଳି ନିରାଶନୟନେ ଡାକେ ବିଶ୍ୱରାଜପଥେ !

ଆକାଶ ଯାଏନି ଫାଟି ପାଦତଳେ ବସୁନ୍ଧରା ଲସିଯାଏ ନାଇଁ

ସୂର୍ଯ୍ୟ ଚନ୍ଦ୍ର ଗ୍ରହ ତାରା କକ୍ଷ ଭ୍ରଷ୍ଟ ନୋହିଁ କେହ୍ନେ ରହିଚନ୍ତି ଚାହିଁ !

ଅନନ୍ତ ବୁଭୁକ୍ଷା କେହ୍ନେ ଶିର ତାର ତୋଳି

ସେ ଖର୍ପର ପ୍ରତି ଅଣୁ ପରମାଣୁ ଖୋଳି

ସୃଷ୍ଟି ପ୍ରତିରନ୍ଧ୍ରେ ଚାହିଁ ଡାକେ

ଦୟା କଣ ନାଇଁ ତୁମ୍ଭ ପାଖେ ?

ବିପୁଳ ସୁନ୍ଦର ସୃଷ୍ଟି ଚାହେଁ ଢାଳି ହୀନ ଦୃଷ୍ଟି

କା’ ଅନ୍ତର ତଳ ହୁଏନି ସଜଳ

ହାହାକାର ହୁଏ ସାର !

 

ଅଭାବ ଓ ଅନାହାର ପୀଡ଼ନରଭାରେ ଅନନ୍ତସନ୍ତାପ କୋଳେ ସେଯେ ଦିନଯାପେ

ଦିନଯାଏ ରାତିଆସେ ଆସେ ବର୍ଷମାସ, ତା’ବେଦନା ଘୁଞ୍ଚେନାଇଁ କାହା ଅଭିଶାପେ

ତା’ପାଇଁ ଫୁଟେନି ଫୁଲ ତା’ପାଇଁ କିଶୋରୀବଧୂ ଜାଳେନି ଜାଗର

ତାପାଇଁ ବହେନି ବାଆ, ତାହାପାଇଁ ଊର୍ମ୍ମି ତୋଳି ନାଚେନି ସାଗର !

ଯହିଁ ସେ ପକାଏ ତାର ଦୃଷ୍ଟି ବାର ବାର

ଫୁଟେ ତହୁଁ ବେଦନାର କୋଟି ଅଶ୍ରୁଧାର

ଅନ୍ଧକାର କୋଳେ ଥରି ଥରି

ଚାଲେ ତା’ର ଜୀବନର ତରୀ

କାହିଁକି ଏ ଅସମତା ?

କାହିଁକି ଏ ନିଷ୍ଠୁରତା ?

ଏ ଯେ ଅତ୍ୟାଚାର ନୁହେଁ ସହିବାର

ମନୁଷ୍ୟର ଚରାଚର !

 

ଯେତେବେଳେ ନିଃସହାୟ ନିରନ୍ନକାଙ୍ଗାଳ ମଣିଷକାନ୍ଦୁଚି ତା’ର ବୁକୁ ତଳେତଳେ

ବର୍ଷ ମାସ ଦିନ ଧରି ତାହାରି ଭିତରୁ ମଣିଷ ଦିଅଇ ଡାକ ଏଇ ମଣିଷରେ

କୋଟି ବିନ୍ଦୁ ଲୋତକେ ଆପ୍ଳୁତ କରି ଧରଣୀର ପ୍ରତି ଅନୁଭୂତି

ମଣିଷର ପାଦତଳେ ମଣିଷ ଡାକଇ କେହ୍ନେ ନମ୍ର ହୋଇ ଅତି !

ଆଖି ଫେଇ ହେ ପୃଥିବି ! ଚାହଁ ଥରେ ଚାହଁ

ସେ ଯେ ତୋର ଅନ୍ତରର ଅନୁଭୂତି ମୟ-

ଗୋଟିଏ ନିରନ୍ନ ଜୀବ, ସେ ଯେ-

ଲୋଡ଼େ, ତୋହରି ଅନ୍ତର ଶେଯେ

ପଡ଼ିବାକୁ ସୁଖେ ଢଳି

କହିବାକୁ ବକ୍ଷ ଭରି

ଅନ୍ତର ବେଦନା

କରନାଇଁ ମନା

ସେ ଯେ ତୋର

କର କୋଳ !

Image

 

ଠିଆହେଲା

 

ଅକସ୍ମାତେ ମୋ ସମ୍ମୁଖେ ହେଲା, ସମ୍ମୁଖେ ହେଲା ଠିଆ

କେଉଁ କୁଟୀରର ସଂଖାଳି ସେ ଯେ ଗୋଟିଏ ନିଃସ୍ୱ ହିଆ !

ବାର ବରଷର ବାଳିକାଟିଏ ସେ ପଞ୍ଜରା ହାଡ଼ ଦିଶେ

ଆଣ୍ଠୁ ଲୁଚୁନି ଚିରା କନାଟିକୁ ଭୂଷଣ କରିଚି କି ସେ ?

ହାତରେ ଧରିଚି ଭଙ୍ଗା ଟୋକେଇ ଧାନ ଗୋଟାଇବା ପାଇଁ

ଧାନର ଶିଂସା କେତୋଟି ତହିଁରେ ପଡ଼ିଚି ଅଥବା ନାଇଁ !

ସମ୍ମୁଖେ ମୋର ଠିଆ ହେଲା ଆସି ନ କହି ପଦିଏ କଥା

ଉଷ୍ମଲୋତକ ଓଦା କରୁଥାଏ ନିଃସ୍ୱ ତା’ ଆଖିପତା

ହାତର ପିଠିରେ ଲୁହପୋଛି ଦେଇ ଖାଲି ରହିଥାଏ ଚାହିଁ

‘କିଏ ତୁହି ମାଆ କାହାଘର ଝିଅ କାନ୍ଦୁଚୁ କାହିଁ ପାଇଁ ?’

ପଚାରିଲି ତାରେ, ଉତ୍ତରିଲା, ‘ମୁଁ ଲୋକା ତନ୍ତୀର ଝିଅ ।

ବିଦେଶେ ମୋହର ମରିଅଛି ବାଆ ହେଲାଣି ବରଷ ନଅ ।

ବୋଉ ପଠେଇଚି ୟା’ ତା ବିଲରୁ ଧାନ ଗଣ୍ଡିଏ ନେଲେ

ମକଚି ଖାଇବୁ, ଘରେ କିଛି ନାଇଁ କଟିଯିବ ହେଲେ ବେଳେ ।’

ଦେଖି ଅଛି ମୁହିଁ ଲୋକା ତନ୍ତୀକି ବଡ଼ ଉତ୍ତମ ଲୋକ

ଦରିଦ୍ର ତାର ଜୀବନେ ସହିଚି କେତେ ଯେ ଉପାସ ଭୋକ ।

ଶେଷକୁ ସେ ଗଲା ଆସାମ ମୁଲକ ସେଇଠି ନିଭିଲା କାହିଁ

ଝିଅ ତା’ ବୁଲୁଚି ଏହି ବିଲମାଳେ ଧାନ ଗୋଟାଇବା ପାଇଁ !

କାହା କିଆରୀରେ ପଶିଲେ କେ କରେ ଦୂର ଦୂର ମାର ମାର

ମନା କଲେ କିଏ ଫେରି ଆସେ ଢାଳି ତପ୍ତ ଲୋତକ ଧାର ।

ବିଲ କିଆରୀରେ ତାଳୁରୁ ତଳିପା ଯାଏ ମୁଁ ଦେଖିଚି ତାରେ

ଝାଉଁଳି ପଡ଼ିଚି ଦେହ ମନ ତାର ନିର୍ଯ୍ୟାତନାର ଭାରେ

ସମ୍ମୁଖେ ମୋର ଠିଆ ହେଲା ସେହି ଲୋକା ତନ୍ତୀର ଝିଅ !

ମାଗିନାଇଁ କିଛି, କହିନାଇଁ ପଦେ ‘ବାବୁ ଗଣ୍ଡିଏ ଦିଅ’

ପଚାରିଚି ଯାହା କହିଚି ସେତିକି, ଆଉ କିଛି କହିନାଇଁ

ଠିଆ ହେଲା ଖାଲି ସମ୍ମୁଖେ, ଚାହିଁ ଚାହିଁ ମୁଁ ପାରିଲି ନାହିଁ

କହିବାର ପାଇଁ କିଥିଲା ତାହାର ? କହିଥାନ୍ତା କି କଥା ?

ଭିତର ବାହାର ଚାରିଦିଗ ତାର ବୋଳା ଖାଲି ତିକ୍ତତା !

ଠିଆ ହେଲା ମୋର ସମ୍ମୁଖେ ଖାଲି ଟିକିଏ ରହିଲା ଚାହିଁ

ଭଙ୍ଗା ଟୋକେଇ କାଖରେ ଯାକିଚି ଚାଲିଗଲା ଦୂରେ କାହିଁ !

ନିରୀହ ନିଃସ୍ୱ ତା ଆଖି ଦୁଇରୁ ପୋଛି ପୋଛି ଲୁହ ଧାର

ଫେରିତ ଚାହିଁନି, ଚାଲିଗଲା ସେହୁ ବହି ତା’ ବେଦନା ଭାର

ଆଖିରେ ତାହାର ସେଇ ଲୁହ ଅଛି କଟୀରେ ଛିଣ୍ଡା କନା

ମୁଖମଣ୍ଡଳେ ସେ ମଳିନ ଛଇ ବୁକୁ ତଳେ ସେ ବେଦନା

ପଚାରିଲି ‘ନେ ଏ କଳେଇ ଗଦାଏ’ କିଛିତ କହିଲା ନାଇଁ

ସମ୍ମୁଖେ ମୋର ଖାଲି ଠିଆ ହେଲା, ଟିକିଏ ରହିଲା ଚାହିଁ

ଚାଲିଗଲା ସିଏ ! ଚାଲିଗଲା ସିଏ ! ମିଶିଗଲା ବିଲମାଳେ

ସିଏ କାନ୍ଦୁଚି, ମୁହିଁ କାନ୍ଦୁଚି ତା’ ପାଇଁ ଅସମ୍ଭାଳେ !

ସମ୍ମୁଖେ ମୋର ଠିଆ ହେଲା ସେଇ ଲୋକା ତନ୍ତୀର ଝିଅ

ମାଗିନାଇଁ କିଛି କହିନାଇଁ ପଦେ ‘ବାବୁ ଗଣ୍ଡିଏ ଦିଅ ।’

Image

 

ନୟନ ଲୁହ ନୟନ କଣେ ଭରି

 

ଜୀବନ ଭରି ଏ ବୁକୁତଳେ ଫୁଟେ ମୋ’ ଯେଉଁ ବ୍ୟଥା

କହିଲେ କହି ପାରିବି ନାଇଁ ଘୂରାଇ ଯାଏ ମଥା

ଆଖିର ଲୁହ ଆଖିରେ ମରେ ନୀରବ ହୋଇ ରହେ

ପ୍ରଧାନ ଘର ବୋହୂ ଯେ ମୁହିଁ କୋଟିଏ ଦୁଃଖ ସହେ

ପହିଲି ପାଳି ଆସିଲି ଯେବେ ପଡ଼ୁଚି ମୋର ମନେ

ଗିରସ୍ତ ମୋ ଗଜା ବଇସା ମରଦ ଟୋକା ଜଣେ

କାନରେ ତାର ବାଡ଼ିଆ ନୋଳି କିଭଳି ଆହାମାନେ !

କବାଟ କଣେ ଚାହେଁ ମୁଁ କେତେ ସରାଗ ସନମାନେ !

ବିଲ ବାଡ଼ିକି ଯାନ୍ତି’ ସିଏ ସକାଳୁ ଉଠି କରି

ଖରା ହେଉ ବରଷା ହେଉ ହେଉ ବା ଝଡ଼ ବଢ଼ି ।

ପ୍ରତି ନିତି ସେ ଆଣନ୍ତି ମୂଲ ପଇସା ଚାରିଅଣା

ଭଲରେ ଆମେ ଚଳି ଯେ ଯାଉ କରିଣ ପିଠା ପଣା

ସେଥର ଯେବେ ମଡ଼କ କାହୁଁ ପଡ଼ିଲା ଆମ ଗାଏଁ

କି ପିଲା ପିଲି ଭେଣ୍ଡା ବୁଢ଼ା ମଲେ ଯେ ଶହେ ପ୍ରାଏ !

ସଞ୍ଜ ନୋହୁ ତାଟି କବାଟ ସବୁରି ଯାଏ ପଡ଼ି

ମଶାଣି ରଇ ନିଭିଲା ନାଇଁ ଦି’ ତିନି ପାଖ ଧରି ।

ସେଥର ମୋର ଶଶୂର ବୁଢ଼ା ବୁଜିଲେ ପରା ଆଖି

ମରିବା ପାଇଁ ଦି’ଦିନ ଅଛି କହିଲେ ପୁଏ ଡାକି ।

ଦେଖି ଚାହିଁ ଚଳିବୁ ବାବୁ ଯାଉଚି ସବୁ ଛାଡ଼ି

ଲାଗିଲା ତତେ ଘର ଦୁଆର ଲାଗିଲା ବିଲ ବାଡ଼ି ।

ସେଦିନୁ ତାଙ୍କ ସେରନ୍ତା ପଣ ଯାଇଚି ଚାଲି କାହିଁ

ଲାଗିଲା ଘର ଲାଗିଲା ଧନ୍ଦା ସବୁ ଆମରି ପାଇଁ

ଯୋଡ଼ିଏ ଝିଅ ଗୋଟିଏ ପୁଅ ସାନଟି ଥାଏ ପେଟେ

ଖାଇବା ପାଇଁ ଅଣ୍ଟେ ନାଇଁ ଆଣିଲେ ଯହୁଁ ଯେତେ ।

ବିକିଲି ଖଡ଼ୁ ବିକିଲି ନୋଥ ବିକିଲି ଚନ୍ଦ୍ରହାର

ବିକିଲି ବିଦ ବିକିଲି ମୁଦି, ବାହୁର ରୂପା ତାଡ଼

ଗିରସ୍ତ ସେ ଦିହ ଦୁଃଖରେ ପଡ଼ିଲେ ଶେଯ ଧରି

ମିଳିଲା ନାଇଁ ମୂଲ କି ପାତି ସବୁ ଯେ ଗଲା ସରି ।

ହାତରେ ଥାଏ ଦିପଟ କାଚ ଦେହରେ ଚିରା କନା

ରାତି ପାଇଲେ ଖାଇବା ପାଇଁ ନ ଥାଏ ଘରେ ଦାନା

ପିଲାଟିମାନେ ହୁଅନ୍ତି ଆହା ଯେଭଳି ନାରଖାର

ଭଗାରି ହେଲେ ଚାହିଁଲେ ଥରେ ବହିବ ଲୁହ ଧାର ।

ଦି’ମାଣ ଭୂଇଁ ବାଡ଼ି ତଳରେ ବିକିଲେ ସାଥେ ସାଥେ

କରଜ ସୁଝି ସାଉକାରର ଫେରିଲି ଖାଲି ହାତେ,

ପରାଣ ପତି ଜର ରୋଗରେ ବୁଜିଲେ ଆଖି ଯେବେ

ଶୀତେଇ ଯାଏ ଦିହ ସେଦିନ ପଡ଼ିଲେ ମନେ ଏବେ !

ଯେ ଯହିଁ ଥିଲେ ସଙ୍ଖାଳି ମୋ ଗଲେରେ କାହିଁ ମରି

ଗୋଟିଏ ବୋଲି ଯମ ଅଇଁଠା ରହିଛି ମରି ମରି ।

ତାକୋଇ ଚାହିଁ ପାଶୋରି ଦିଏ ସକଳ ଦୁଃଖଦାଉ

ତାକୋଇ ଚାହିଁ ନୟନତଳୁ ନ ବହେ ଲୁହ ଆଉ !

ସେଦିନ ପରା ଆମରି ଗାଆଁ ଖମାର ସାଉକାର

ଧରି ନେଇ ମୋ ଧନକୁ ଦେଲେ ହଂଗା ଲଂଘା ମାଡ଼

ବିଲରୁ ତାଙ୍କୀ କିଏ ସେ ନେଲା ଚୋରାଇ କରି କ୍ଷେତ

ମୋ ଧନମାଳି ଖାଇଲା ଗାଳି, ବାଜିଲା ଦେହେ ବେତ

କାକୁତି କରି କହିଲା କେତେ ଚୋରାଇ ନାଇଁ ମୁହିଁ

ପିଆଦା ତାଙ୍କ ମଦନ ସାଉ ମାଇଲା ଦିହ ଛୁଇଁ

ଶ୍ରାବଣ ମାସ ବରଷା ପରି ଝରୁଥେ’ କେତେ ଲୁହ

ବାହାରେ ରହି କହିଲି ଦୋଷ କରିନି ମୋର ପୁଅ !

ବାହାରେ ରହି କହିଲି ଦୋଷ କରିନି ମୋର ପୁଅ

ପିଠିରେ ମୋର ବସିଲା ବିଧା ଶୁଣିବେ ଥିଲେ ଦିଅଁ

ମାଆ ଓ ପୁଅ ଫେରିଲୁ ଆମେ ମାଡ଼ ଓ ଗାଳି ସହି

ଉପାସେ ପେଟ ଜଳୁଥେ’ ଦୁଃଖେ ଯାଉଥେ ଲୁହ ବୋହି ।

ତା’ ଆରଦିନ କୁଡ଼ିଆଟିରେ ଲାଗିଲା ମୋର ନିଆଁ

ସେ ମାଡ଼ କଥା କହିଲି କିଆଁ ହୋଇ ମୁଁ ଅମାନିଆଁ !

କୋଡ଼ିଏ ଟଙ୍କା କରଜ କରି ତୋଳିଲି ମୋର ଘର

ଛ’ମାସ ନୋହୁ ଘରଟି ମୋର ନେଲେ ସେ ସାହୁକାର

କହିଲି କେତେ ନେହୁରା ହୋଇ ଚରଣ ତଳେ ପଡ଼ି

କୋଡ଼ିଏ ଟଙ୍କା ଧନ ଯେ ମୋର ସୁଝିବ କାଲି ପରି ।

ମୋ ପିଲା ଦେହେ ଲାଗିଲେ ଡେଣା କୋଡ଼ିଏ ଟଙ୍କା କିସ

ବରଷ ପିଛା ଆଣିବ ଲାଗି ଦୁଇଶ ନୁହେଁ ମିଛ ।

ପଦନ ସାହୁ ମହତ ସାରି ଶୋଧିଲା ଯାହା ମତେ

ରକତ ଧରି କିଏ ସେ ସହି ପାରିବ ଏ ମରତେ ।

ମୋ ଧନମାଳି ବରଡ଼ା ପରି ଥରୁଥେ’ ଥର ଥର

ବହୁଥେ’ ତାର ନୟନ ତଳୁ ଲୁହ ଯେ ଝର ଝର ।

ଧନମାଳିର ନୟନ ଲୁହ ପଣତେ ପୋଛି ଦେଇ

କହିଲି ବାବୁ ଆମର ହୋଇ ମଞ୍ଚେ ନାହିଁ କେହି ।

ନିଅନ୍ତୁ ଏଇ କୁଡ଼ିଆ ଏଇ ଦୁଃଖୀର ଆଶ୍ରାଟିକ

ବୁଲିବା ପଛେ ବାର ଦୁଆରେ ମାଗିବା ଯାଇ ଭିକ ।

ଉପାସ ଭୋକେ ସଡ଼କ ପାଖେ କେବଣ ଗଛତଳେ

ମରିବା ପଛେ ଛୁଇଁବା ନାଇଁ ଏ ମାଟି ଆଉ ଥରେ

ସତ୍ୟ ନାଇଁ ଧର୍ମ ନାଇଁ ମଣିଷଠାରେ ଯହିଁ

ନିମେଷେ ହେଲେ ସେ ମାଟି ପରେ ଆସେ କି କେବେ ରହି ?

ମୋ ଧନମାଳି ଖାଇନି ଭାତ ବସିଛି କଂସା ପାଖେ

ପାଟିକି ଗୁଣ୍ଡା ନିଏ ନ ନିଏ ତାହାରେ କିଏ ଡାକେ ।

ବାହାରିଯାଅ ଘର ଭିତରୁ ବାପର ଘର ପରି

ଶୁଣୁନି କଥା କେତେ ସେ ପୁଣି ଦିମାକ୍ ଅଛି କରି ।

କୋ’ଦିନୁ ଆମେ ମାଆ ଓ ପୁଅ ଆସିଚୁ ଛାଡ଼ି ଘର

ଗାଆଁରୁ ଗାଆଁ ଏ ପେଟ ପାଇଁ ବୁଲୁଚୁ ଅବିରଳ ।

କାହାକୁ ମାଗୁ ଚାଉଳ ଅବା କାହାକୁ ମାଗୁ ଭାତ

କାହାକୁ ମାଗୁ ଲୁଗା ଖଣ୍ଡିଏ କାହାକୁ ମାଗୁ କାଠ ।

ସେ ଦିନୁ ଆମେ ଯାଇନୁ ଆଉ ଆମର ପ୍ରିୟ ଗାଆଁ

ପଡ଼ୁଚି ମନେ ବିଲ ପୋଖରୀ ନଈ ପାହାଡ଼ ନାଆଁ

ପଡ଼ୁଚି ମନେ ସାଇ ପଡ଼ିଶା ଆପଣା ପ୍ରିୟ ଯିଏ

ପଡ଼ୁଚି ମନେ କୁଟୀର ଯାହା ମାଡ଼ି ବସିଚି କିଏ ।

ପଡ଼ୁଚି ମନେ ଶାଗ ପଟାଳି ଯହିଁ ମୁଁ ଢାଳେ ପାଣି

ପଡ଼ୁଚି ମନେ ନଈରୁ ପାଣି ଆଣିବା ଯାଇ ଛାଣି

ପଡ଼ୁଚି ମନେ ବୋହୂ ହୋଇ ମୁଁ କାଟିବା ସୁଖେ କାଳ

ପଡ଼ୁଚି ମନେ ତା’ପରେ କେହ୍ନେ ହେଲି ମୁଁ ନାରଖାର !

ପଡ଼ୁଚି ମନେ ଘର ଛାଡ଼ି ମୁଁ ଦାଣ୍ଡେ ହେଲି ଠିଆ

କାହା ଘରର ଝିଅ ମୁଁ ଥିଲି, ଥିଲି ମୁଁ କାହା ପ୍ରିୟା ।

ବାଟ ଘାଟ ମୁଁ ନ ଥିଲି ଦେଖି ନ ଥିଲି ଚିହ୍ନି ଲୋକ

ବାର ଦୁଆରେ ବୁଲିଲି ଆହା ପାଇବା ପାଇଁ ଢୋକ

ସୁଦୂର ଏଇ ପ୍ରବାସ ଗାଏଁ ପିଲାଟି ମୋର ବୁଲେ

ଆଖି ବୁଜି ମୁଁ ଯିବଇଁ କାଲି କେଉଁ ଅଜଣା ପୁରେ

ପିଲାଟି ମୋର ଜୀବନେ ଥାଉ ନ ପଡ଼ୁ ପରମାଦ

ଭିକାରୁଣୀର ଭାଗ୍ୟେ ଦିଅ ସେତିକି ପରସାଦ ।

ନୟନୁ ତାର ନ ବହୁ ଲୁହ ନ ପଡ଼ୁ ବାଧା ବୁକେ

ପୃଥ୍ୱୀପରେ ମୋ ପିଲାଟିକି ନିଅହେ ଚାଳି ସୁଖେ

ଗରିବ ପାଇଁ ମରତେ କେହି କାନ୍ଦେ ନାଇଁ ଜଣେ

ତା’ ପଥେ ସେହୁ ଚାଲଇ ଏକା ଲୋତକ ଆଖି କଣେ ।

ଗୌରବର ଛତ୍ର ତଳେ ହୁଏନି କେବେ ଠିଆ

ଅଭାବ ଓ ଅସମ୍ମାନେ ପୋଡ଼ଇ ତାର ହିଆ ।

ଆପଣା କରି ବକ୍ଷେ କିଏ ନିଏନି ତାରେ ଟାଣି

ମୂଲ୍ୟହୀନ କହିଲେ ସିଏ ମୂଲ୍ୟବାନ ବାଣୀ ।

ଲକ୍ଷ ଲକ୍ଷ ବରଷ ହେଲା ପୃଥିବୀ କରେ ଗତି

ଫୁଟଇ ଫୁଲ ବହଇ ବାଆ ହୁଅଇ ଦିନ ରାତି

ଦୁଃଖୀ ତାର ନୟନ ଲୁହ ନୟନ କଣେ ଭରି

ଧରଣୀ ବକ୍ଷେ ଚାଲିଚି ମୂକ ଗାଈ ବଳଦ ପରି ।

ଏଭଳି କେତେ କହୁ ତା’ ନେତ୍ରୁ ଲୋତକ ଗଲା ବହି

ନିମେଷ ପରେ ନିଭିଲା ଶେଷ ପବନ ରହି ରହି

ପୁଅ ତା’ ଦେଖେ ଜୀବନ ନାଇଁ ଦେହରେ ବୋଳି ହାତ

ଶୁଣଇ ଖାଲି-‘ମୋ ପିଲା ପରେ ନପଡ଼ୁ ପରମାଦ’ ।

Image

 

ଲୁହର ଦାବି

 

କଳା କନା ଖଣ୍ଡେ ପିନ୍ଧି ଏ ବିଜନ ପଡ଼ିଆରେ

ବସିଅଛି ମେହେନ୍ତର ଭାରିଜା ମରୁଆ

ସକାଳୁ ଖାଇନି ସିଏ ବେଳ ହେବ ବାର ଘଡ଼ି

ଜଗିଚି ଏକାକୀ ଏଠି ପାଚିଲା ମାଣ୍ଡିଆ !

ଘରେ ତା’ ଚାରୋଟି ପିଲା ହେଉଥିବେ ଛଟପଟ

ତାଙ୍କୁ ଯେବେ ବେଳୁବେଳ କରୁଥିବ ଭୋକ

ଗିରସ୍ତ ତା ବୁଲୁଥାଏ ମନଇଚ୍ଛା ଏଣେ ତେଣେ

ବୁଝେନି ପିଲାଙ୍କୁ ବାରେ ଦେବାପାଇଁ ଢୋକ ।

କହିଲା ବିକଳେ ମୋତେ, ଶୀର୍ଣ୍ଣ ତା’ ନୟନୁ ଢାଳି

କେତେ ବେଦନାର ସୀମାହୀନ ଲୁହଧାର

ଦି’ଘର କରିଚି ସେବା ପହରା ଛାଞ୍ଚୁଣୀ ବିକି

ଚଳିଯାଏ ମୋର ପ୍ରତିନିତି ଯା’ ଆଧାର ।

ବଡ଼ ଦୁଃଖେ ଏ ପିଲାଙ୍କୁ ଚଳାଏ ମୁଁ ଏକା ଏକା

ତୁଣ୍ଡରୁ ଆଧାର ଦେଇ ବାର ନାରଖାରେ

ଖଦୀପଟା କରିବାକୁ ମିଳେନାଇଁ ପଇସାଏ

ତୁମ ଆଗେ କହିବିନି ଦୁଃଖ କିମ୍ପା ବାରେ ?

ପିଲାଟା ମୋ ହୁଏ ଡଇଁ ଡଇଁ ମାଛ ଟିକେ ଖାଇବାକୁ

ପାରେନି ମୁଁ ଦେଇ, ଯାଏ ମାଗି କା’ ଦୁଆରେ

କେ’ ଦେଲେ କେ’ ଦିଅନ୍ତିନି, ଭଲମନ୍ଦ କାହୁଁ ଅବା

ଦେଖିବେ ପିଲାଏ ମୋର ଗରିବ ସଂସାରେ !

ହେଇଟି ଦେଖୁଚ ବାବୁ ! ପିନ୍ଧିଚି ଏ ଚିରାକନା

ବାହାରକୁ ଯିବା ପାଇଁ ଲାଗୁଚି ସରମ

ହାଡ଼ିକୁଳ ବୋଲି କଣ ଆମର ମହତ ନାଇଁ ?

କଅଣ କରିବୁ ଆମ ଗରିବ କରମ !

ପେଟରେ ମୋ ଆଠମାସ ଭୋକ ତ ହୁଅଇ ବେଶୀ

ସକାଳୁ ମୁଁ ଉଠି ଯେବେ ଦାନ୍ତ ଘଷିଦିଏ

ନଥାଏ ମୁଠିଏ ଭାତ ପାଣି ମନ୍ଦେ ପିଇ ରହେ

ମନସଧ ମତେ ଆଣି ଦବ ଅବା କିଏ ?

କେତେ ମୁଁ ଅନାସ୍ତ ହୁଏ ମନ କଥା ମନେ ରହେ

ପଠାଇଚି ଯାଆ ଏଠି ଜଗିବୁ ମାଣ୍ଡିଆ

ଏତେବେଳ ହେଲା ଆସି ପିଲେ କାନ୍ଦୁଥିବେ ଘରେ

ବାଆ ତା’ର କହିଥିଲା ନ ଆସିଲା କିଆଁ ?

ଶୁଣି ତା’ ଅନ୍ତର କଥା ଫେରିଲି ମୁଁ ପଥେ ପଥେ

ତଥାପି ପଛକୁ ଫେରି ନିମିଷକେ ଚାହେଁ

କଳା କନା ଖଣ୍ଡେ ପିନ୍ଧି ବିଜନ ସେ ପଡ଼ିଆରେ

ସେଇପରି ବସିଅଛି କେତେବେଳ ଯାଏଁ !

ଉତ୍‌ପକ୍ଷ୍ମ ନୟନେ ପୁଣି ଚାହିଁଲି ବହୁତ ଦୂରୁ

ଦେଖିଲି ବସିଚି ସେଇ ଦୁଃଖିନୀ ମରୁଆ

ଦେଖିଲି ସେ କଳାକନା ତଳୁ ଯାହା ବାହାରୁଚି

ନିଖିଳ ପୃଥ୍ୱୀକୁ କରୁଅଛି ଅନ୍ଧାରୁଆ !

ଆହୁରି ଦେଖିଲି ମୁହିଁ ଏ ନିଖିଳ ଚରାଚରେ

ମାଡ଼ି ଯାଉଅଛି ବେଶି ବେଶି ଅନ୍ଧକାର

ଜଳ ସ୍ଥଳ ଗଛ ପତ୍ର ପାହାଡ଼ ପ୍ରାନ୍ତର ଗାଆଁ

କିଛି ହେଲେ ଦିଶୁନାଇଁ ସବୁ ଏକାକାର !

ଏହି ମହା ଅନ୍ଧକାରେ ଦେଖେ ସେଇ ପଡ଼ିଆରେ

କେ ଆସୁଚି ଅଗ୍ନି ସମ ଚଣ୍ଡରୂପ ଧରି !

ପୁଞ୍ଜୀଭୂତ ଲୁହ ଅବା ମଣିଷ ପ୍ରାଣର ସେ ଯେ

ଖେଦି ସେ ଆସୁଚି କହି ବାଣୀ ଭୟଙ୍କରୀ !

ବିରାଟ ଏ ଧରଣୀରେ କରିବାକୁ ଉପଭୋଗ

ସକଳର ଅଛି ଦାବି ଅଛି ଅଧିକାର

ସଭିଏ ହସିବେ ଏଠି ସଭିଏ ନାଚିବେ ସୁଖେ

ଜୀବନ ଅମୃତ ଶିରୀ ଭୁଞ୍ଜି ଅନିବାର

ସବୁରି ଅନ୍ତର ଲୋଡ଼େ ଧନମାନ ଗଉରବ

ସବୁରି ଅନ୍ତର ତଳେ ଜଳେ ଅଗ୍ନି ଏକ

ସବୁରି ଏ ଜଳସ୍ଥଳ ଆକାଶ ଭୁବନ ବାୟୁ

ସଭିଏ ବଞ୍ଚିବେ ଏଥି ନ ହୋଇ ନିରେଖ !

କହରେ ମଣିଷ କହ ! କିଏ ତୋ ନୟନେ ଦେଲା

ବିଷର କଜଳ ରେଖା ନିବିଡ଼େ ନିର୍ମମେ

କେ’ କହିଲା ପୃଥିବୀର ଅସଂଖ୍ୟ ଜୀବନ ତୁହି

ମାରି ହାଣି ଦୋଳୁଥିବୁ ସୁଖର ସପନେ !

ଘିଅ ଦୁଧ ମାଛ ଭାତ ଖାଇ ତୁ ରହିବୁ ଏଠି

ଅସଂଖ୍ୟ ଜନତା ମରୁଥିବେ ହା’ହାକାରେ

ରାକ୍ଷସ ତୁ ପିଶାଚ ତୁ ମଣିଷର ଖୋଳ ଧରି

କଳଙ୍କ ବୋଳୁଚୁ ଏଇ ସୁନାର ସଂସାରେ !

ସୀମାହୀନ ବେଦନା ମୁଁ ଏଇ ମହା-ପୃଥିବୀର

ଆସିଚି ମୁଁ ଅଗ୍ନି ହୋଇ ଦେବି ଧ୍ୱଂସ କରି

ଯେଉଁଠି ଚାଲିଛୁ ତୁହି ଅସୀମ ଏ ଜନତାରେ

ତୋ’ ଅନ୍ୟାୟ ରଥଚକ୍ରେ ପ୍ରତିନିତି ଦଳି !

ତୋ ଆଖିରେ ମଣିଷର ପ୍ରାଣବୋଳା ଦୀପ୍ତି ନାଇଁ

ବକ୍ଷେ ନାଇଁ ମଣିଷର କରୁଣା ସେନେହ

ବିରାଟ ନରକଶାଳା ତୋ’ ଅନ୍ତର ଦେହ ମନ

ପୂର୍ଣ୍ଣ ତହିଁ ସ୍ୱାର୍ଥ ଅବିଶ୍ୱାସ ଓ ସନ୍ଦେହ !!

ତୋ’ ଭଳି ପ୍ରାଣର ନାଇଁ ଦଣ୍ଡେ ହେଲେ ଅଧିକାର

ଏଇ ବସୁନ୍ଧରା ପରେ ବଞ୍ଚି ରହିବାର

ତୋହରି ନିଶ୍ୱାସ ତାପେ ସିଝିଯାଏ ଯେଉଁଠାରେ

ସୀମାହୀନ ଜନତାର ଅନ୍ତର ବାହାର ।

ଯେ ମଣିଷ ମଣିଷର ବ୍ୟଥା ଏକା ବୁଝିପାରେ

ସବୁରିଙ୍କି ଦିଏ ପ୍ରାଣ ଖୋଲି ମଧୁଧାରା

ତାରି ଏକା ଅଧିକାର ଏ ମାଟିରେ ରହିବାର

ତା’ ପରଶେ ସ୍ୱର୍ଗ ଭଳି ନାଚେ ବସୁନ୍ଧରା ।

Image

 

Unknown

ହତାଶ ପଥିକର ଗାନ

 

–୧–

ବଞ୍ଚିବା ଧରଣୀରେ ହେଲା ଏଡ଼େ କଠୋର

ସଂଗ୍ରାମୁ ଫେରିଚି ମୁଁ ପରାଜିତ ସଇନି

ଗମ ଗମ ଝାଳ ମୋର

ବହିଯାଏ ଦିହରୁ

ସହିଚି ମୁଁ ଯେତେ ଯାହା ନିଷ୍ଠୁର ଦଇନି

ଚାଲିଚି ମୁଁ ପଥେ ଏକା

ଏ ସକାଳ ପହରୁ !

–୨–

ନୟନୁଁ ମୋ ଝରି ପଡ଼େ ଲୋତକର ଝରଣା

ଆକାଶେ ବତାଶେ ଚାହିଁ ଫେରୁଚି ମୁଁ କୁଟୀରେ

ପଥ ବଡ଼ ଦୁର୍ଗମ

କ୍ଳାନ୍ତ ମୁଁ ଶ୍ରାନ୍ତ

ଏକା ମୁଁ ଯେ କେହି ନାଇଁ ବନ୍ଧୁ ମୋ ସାଥିରେ

ମୋ ମରମ ବୁଝି ମୋରେ

କରିବ ଯେ ଶାନ୍ତ !

–୩–

ମନ କଥା ମନେ ମାରି ଚାଲିଚି ମୁଁ ଯାତ୍ରୀ

କାନ୍ଦୁଚି ମୋ ଭିତର ଉଷ୍ଣ ସେ ରକତ !!

ରଞ୍ଜିତ ପଥ ମୋର

ସୀମାହୀନ ଲୁହରେ !

କା’ ତୁଲେ ମୁଁ ହେଲି ନାଇଁ କେତେ ଭାବେ ଯୁକତ,

ଚାଲିଚି ନୀରବେ ଏକା

ଭିନ୍ନ ଏ ସୁଅରେ !

–୪–

କହରେ ଆକାଶ କହ, କହ ଆଗୋ ଧରଣି !

କହ ମୋର ପରିଚିତ ବନ ବିଲ ସରଣି !

ଶତ ଦାଉ ଧକ୍‌କା କି

ସହି ସହି ଚାଲିବି ?

ମୋ ଲାଗି ଫୁଟିବ ନାଇଁ ଉଷା ହେମ ବରଣୀ ?

ଆଖି ଲୁହ ଆଖେ ମାରି

ସବୁ କଥା ଭୁଲିବି ??

 

–୫–

ପଲ୍ଲି-ପାହାଡ଼ ଘେରା ଦୂରେ ମୋର ଗାଆଁଟି !

ପଚାରିବ ଜଣେ ମୋର ସଂଗ୍ରାମ ବାରତା,

ବକ୍ଷେ ତା’ କେତେ ଆଶା

ମୁଞ୍ଜରି ଥିବନି !

କି ଦେବି ମୁଁ ଉତ୍ତର ଖାଲି ବୁକୁ କରତା !

କେ ବୁଝୁଚି ବିଶ୍ୱରେ

ନିଃସ୍ୱର ଜୀବନୀ !

–୬–

ଫୁଟିଚି ଗୋଲାପ କଳି ଫିଟିନାଇଁ ରଙ୍ଗ !

ଚାହିଁ ସେ ରହିଚି କିବା ସୀମାହୀନ ଧିଆନେ ?

ଜାଗିଚି ବସନ୍ତ

ପିକ ପଞ୍ଚମ ଆସିନି

ସୌମ୍ୟ ଦିଶଇ କିବା କନକର ସ୍ନାହାନେ !

କି ମଧୁ ପିଆସା

ତାର ମନ ତଳେ ବସିନି !

 

–୭–

ଭାଙ୍ଗି ପଡ଼ିବ ତାର ସପନର ସଉଧ ।

ଓଠ ତା’ ପଡ଼ିବ ଫିକା ଫୁଟିବନି କଥା ଯେ ।

ଲୁହ ଛଳ ଛଳେ ମୋରେ

ଚାହୁଁଥିବ ଛଇଳା !

ବିଦରୁ ଥିବ ତା’ ହିଆ ନିର୍ମମ ବ୍ୟଥା ଯେ

ଜୀବନ କି ସାତ ହୀନି–

ମାନ ହୋଇ ରହିଲା ?

–୮–

ଦୁର୍ଦ୍ଦମ ବିଦ୍ରୋହ ବୁକୁ ତଳେ ଜାଗଇ,

ପ୍ରତି ଲୁହ ପ୍ରତିକୋହ ତୁଲେ ହୋଇ ଜଡ଼ିତ,

ସ୍ୱାର୍ଥ କଳୁଷ ଭରା

ମଣିଷର ସୃଷ୍ଟି

ଯୁଗେ ଯୁଗେ ଧରଣୀକି କରୁନି କି ପୀଡ଼ିତ ?

ଶତ ଅନାଚାର କରି

ନିମିଷକେ ବୃଷ୍ଟି ।

 

–୯–

ଏ ବିରାଟ ଧରଣୀର ସୀମାହୀନ ଜନତା-

ମୂକ ଅନ୍ତର ବ୍ୟଥା ବୁଝିବାର ପାଇଁକି,

କେହି ନାଇଁ କେହି ନାଇଁ

କେହି ନାଇଁ ଜଣେତ !!!

ଯେଝା ବାଟ କାଟି ଯିଏ ଚାଲିଅଛି ଯହିଁକି,

ନୀରବେ ସଢ଼ୁଚି କିଏ

କେଉଁ ଗୃହ କଣେ’ ତ !!

Image

 

ଦେଇଥାନ୍ତା

 

କେହିତ ଟିକିଏ ମୁହଁକୁ ଚାହିଁଲା ନାଇଁ ?

ଆସିବାର ବେଳେ ଆସିଲି ଅଶ୍ରୁ ବାହି ।

ପଦିଏ ବଚନ ଟିକିଏ ଚାହାଣି ଖାଲି,

ଦେଇଥାନ୍ତା ମୋ ଅନ୍ତରେ ସୁଧା ଢାଳି !

ଆଗକୁ ଚାଲିଲି, ପଛକୁ ଚାହିଁଲି ଫେରି

ସେଇ ବଣବୁଦା, ସେ ନଈ ପାହାଡ଼ ଧାଡ଼ି ।

ସେଇ ସେ ସୌଧ ସେଇ ସେ ବନ୍ଧୁଜନ

ସହାନୁଭୂତିରେ ଆର୍ଦ୍ର ନ ହେଲା କାହାରି ଟିକିଏ ମନ !

ବୁକୁ ଚିରି ମୁଁ କି ସେନେହ ନଥିଲି ଦେଇ ?

ମୋ ପାଇଁ କାହିଁତ ଭାଳିଲାନି ଜଣେ କେହି !

ଚିହ୍ନିଲାନି କେହି ବୁଝିଲାନି କିଏ ମତେ,

ଗଭୀର ଦଇନେ ଫେରିଲି ଆପଣା ପଥେ ।

ଝର ଝର ଝର ଲୁହ ଯାଉଥାଏ ଝରି

ବକ୍ଷ ଫଟାଇ କୋହ ଆସୁଥାଏ ଭରି !

ଜଣେ କେହି ମୋର ଗୋଟିଏ ବିନ୍ଦୁ ଲୁହ

ପୋଛି ଦେଇଥିଲେ ମଣିଥାନ୍ତି ମୁଁ ଭାଗ୍ୟବାନ କି ନୁହଁ ?

ପାଷାଣରୁ ବଳି ସଭିଏ ମଉନ ହେଲେ

ଆପଣାର ବ୍ୟଥା କହି ଯାଉଥିବା ବେଳେ

କାହାପାଇଁ ମୁଁ ବା କଅଣ ନଥିଲି କରି ?

ଯେତେବେଳେ ମୁହିଁ ପଡ଼ିଗଲି ତଳେ

ଆହୁରି ଚରଣେ ନିଷ୍ଠୁରେ ଦେଲ ଦଳି !

ହୃଦୟର ବ୍ୟଥା ଘନାଇ ଆସିଲା ମମ

ଶ୍ରାବଣ ସଞ୍ଜ କୃଷ୍ଣ ବାରିଦ ସମ

ନିଜ ହାତେ ନିଜେ ଲୁହ ପୋଛି ପୋଛି ଗଲି

ବୁକୁର ବେଦନା ବୁକୁତଳେ ଚାପି ଧରି ।

ଦେଇ କି ନ ଥିଲି ଅନ୍ତର ଭରା ଦାନ ?

ଭାଳି କି ନଥିଲି ତୁମେ ହିଁ ମୋହର ପ୍ରାଣ ?

ଲୋଡ଼ି କି ନଥିଲି ତୁମ ପାଖେ ଖାଲି ଥାଇ

ଦିନକାଳ ମୋର ସରାଗେ ଯାନ୍ତା ପାହି ?

କେହି ବୁଝିଲନି ପାଲଟିଲ ସବୁ ଜଡ଼

କାହରି ଆଖିରେ ମୋପାଇଁ ନଥିଲା ଗୋଟିଏ ବିନ୍ଦୁ ଜଳ ?

କହା ବୁକୁତଳେ ମୋ ପାଇଁ ନ ଗଲା ଟିକିଏ ଆଘାତ ଲାଗି

ସଭିଙ୍କୁ ଚାହିଁ କାତର ନୟନେ ଆସିଲି ବିଦାୟ ମାଗି !

ପାଟଳ ତପନ ପଶ୍ଚିମ ଗିରି ଚୂଳେ

ବୁଡ଼ି ଯାଉଥିଲା ଦୂରେ ଦୂରେ ବହୁଦୂରେ

ଗାଈଆଳ ପିଲା ଅଡ଼ାଇ ତା’ ଧେନୁ ପଲ

କୁଟୀରେ ତାହାର ଫେରୁଥିଲା ଚଞ୍ଚଳ ।

ଏ ସବୁ ଭିତରେ ମୁହିଁ ଆସୁଥିଲି ଫେରି

କେତେ ବରଷର ସ୍ମୃତି ଅନ୍ତରେ ଧରି !

ଏତେ ସ୍ନେହ ଏତେ ସାଧନାର ପରିଣତି

ଏଇଭଳି ହେଲା ତାର ନିଦାରୁଣ ଗତି ?

ଯେଉଁଠି ହୃଦୟ-ସେନେହ ବାରିଧିଲୀଳା

ଯେଉଁଠି ପ୍ରାଣର କୋଟି ଅମୃତ କ୍ରୀଡ଼ା

ସପନ ପରାଏ ମରୁ ଗରଜିଲା ତହିଁ

ପାରୁନି ପାରୁନି ଏ ମହାବେଦନା ସହି !

ସବୁ ସହି ପାରେ, ସହିବି କେସନେ କହ

ଅପରିଚିତରୁ ବଳି ପରିଚିତ ହୁଏ ଯେବେ ନିର୍ଦ୍ଦୟ !

ସବୁ ଛାଡ଼ିପାରେ, କଷ୍ଟ ଯେ ଛାଡ଼ିବାରେ

ପାଳି ମୁଁ ଆଣିଚି ଯାହାରେ ମୋ ଲୁହ ଧାରେ !

 

ମଣିଷ ଯେବେ ଏ ମଣିଷର ବୁକୁ ତଳେ

ଗୋଳି ହେବାପାଇଁ କୁଣ୍ଠା ପ୍ରକାଶ କରେ,

ମଣିଷରେ ଯେତେ ମଣିଷ ଆଡ଼େଇ ଦିଏ,

ମଣିଷର ବ୍ୟଥା ବୁଝିବ ଧରାରେ କିଏ ?

କେହି ତ ଟିକିଏ ମୁହଁକୁ ଚାହିଁଲ ନାଇଁ

ଆସିବାର ବେଳେ ଆସିଲି ଅଶ୍ରୁ ବାହି

ପଦିଏ ବଚନ ଟିକିଏ ଚାହାଣି ଖାଲି

ଦେଇଥାନ୍ତା ମୋ ଅନ୍ତରେ ସୁଧା ଢାଳି !

Image

 

ନିର୍ଯ୍ୟାତିତର ଆତ୍ମବିଳାପ

 

ତିକ୍ତତାର ଇତିହାସ ଶିରପରେ ବହି

ଦିନ ପରେ ଦିନ କେହ୍ନେ ନେବି ମୁହିଁ ବାହି !

ଭାଜିପଡ଼େ ଦେହ ମନ, ଭାଜିପଡ଼େ ମୋର

ଆଶାର ଅଟ୍ଟାଳି ଯାହା ଗଢ଼ିଅଛି କାହିଁ !

ଚତୁର୍ଦ୍ଦିଗେ ଚାହିଁ ଦେଖେ ଢାଳି ନେତ୍ର ବେନି

ରୁଦ୍ଧ ମୋର ଚାରିଆଡ଼ କାହା ଅଭିଶାପେ

ଫେରି ଆସେ ଫେରି ଆସେ ବିଦଗ୍‌ଧ ଅନ୍ତରେ

ବୁକୁ ତଳେ ସବୁ ବ୍ୟଥା ଚାପି ଆପେ ଆପେ !

ଲାଗେ ନାଇଁ ଭଲ ମତେ ନିଖିଳ ଧରିତ୍ରୀ

ଯେତେ ଯାହା ସୀମାହୀନ ମୋହନ ସମ୍ଭାର

ଫୁଲ ଫୁଟେ ବାଆ ବହେ ସୂର୍ଯ୍ୟ ଆସେ ଉଇଁ

ବୁଣି ଦେଇ ସୁବର୍ଣ୍ଣର ରେଣୁ ଚାରିଆଡ଼ ।

ବାତ୍ୟା ପରେ ବାତ୍ୟା ଖାଲି ଯାଏ ବହି ବହି

ଛିନ୍ନ ଭିନ୍ନ କରି ଯେହ୍ନେ ମୋ ପଞ୍ଜରା ହାଡ଼

ଦେଖେ ମୁହିଁ ଜୀବନଟା ରହିଅଛି ଚାହିଁ

ଯେହ୍ନେ କେଉଁ ଶୂନ୍ୟଚାରୀ ପ୍ରେତର କଙ୍କାଳ !

ମଣିଷ ମୁଁ ଆସିଥିଲି ମହା ଧରଣୀରେ

ଏଇଭଳି ହନ୍ତସନ୍ତ ହେବି ବୋଲି କିରେ ?

ଆସିଥିଲି ଚିରଦିନ ରହିବାକୁ ବୁଡ଼ି

ଘୋର ଅବସାଦଭରା ତପ୍ତ ଲୁହନୀରେ !

ଆସିଥିଲି ଆସିଥିଲି ଆସିଥିଲି କିରେ

ପଦାଘାତ ପରେ ଶତ ପଦାଘାତ ଲଭି

ପୃଥିବୀ ଅତଳ ତଳେ ଦୂରେ ଦୂରେ କାହିଁ

ଚିହ୍ନ ବର୍ଣ୍ଣ ଲୋପ୍ୟ କରି ଯିବାପାଇଁ ଦବି !

ମଣିଷ ମୁଁ ମଣିଷ ମୁଁ ଆସିଥିଲି କିରେ

ଏ ମାଟିର ସୀମାହୀନ ବଇଭବେ ଚାହିଁ

କାହିଁରେ ନ ଦେଇ ହାତ ଜଡ଼ ପଙ୍ଗୁ ପରି

କେଉଁଆଡ଼େ ଯିବାପାଇଁ ନୀରବେ ଉଭାଇ !

ଆସିଥିଲି ସତେ କିରେ ମହା ବିଶ୍ୱ ଭରି

ଅନନ୍ତ ପ୍ରାଣର ମଧୁ ନାଇଁ ଚାଖିବାରେ

ଖାଲି ବଞ୍ଚି ରହିବାକୁ ପଳେ ପଳେ ମରି

କାଟି ହୋଇ କେଉଁ ଶୂନ୍ୟ ତୀକ୍ଷ୍‍ଣ ଖୁର ଧାରେ !

ଆସିଥିଲି ରୂପ ଘେନି ଭାଷା ଘେନି କିରେ

ପ୍ରାଣହୀନ ପରି ଖାଲି ରହିବାର ପାଇଁ

ଆସିଥିଲି ଦେଖିବାକୁ ଯୂପସ୍ତମ୍ଭ ମୋର

ମୋ ଚାଲିବା ପଥେ କିଏ ରଖିଛି ସଜାଇ !

ମୋ ବୀଣା ରହିଲା ଯେବେ ଚିରଦିନ ମୂକ

ନ ଫୁଟିଲା, ନ ଫୁଟିଲା ଲବେ ହେଲେ ସ୍ୱର

ମୋ ଆକାଶ ହେଲା ଯେବେ ମେଘାଚ୍ଛନ୍ନ ନିତି

ଆଲୋକ ପ୍ରବାହେ ନାଇଁ ଦିଶିଲା ଭାସ୍ୱର !

ମୋର ବାଡ଼ି ବଗିଚାରେ ଫୁଲଟିଏ ଯେବେ

ନଫୁଟି ରହିଲା ତାହା ମହା ମରୁ ପରି

ମୋର କ୍ଷୁଦ୍ର ସରୋବରେ ରାଜହଂସ ଯେବେ

ଦିନକ ପାଇଁକି ହେଲେ ନ ଆସିଲା ଚରି,

ମୋର ରାଜପଥ ଯେବେ ନ ହେଲା ନ ହେଲା

ଆନନ୍ଦର କୋଳାହଳେ ନିୟତ ମୁଖରୁ

ମୋ ଲତାଟି ତଳେ ଯେବେ ପଡ଼ି ପଡ଼ି ଗଲା

ତରୁ ଶିଖେ ଉଠି ନାଇଁ ପାରିଲା ମୁକର !

ସମସ୍ତ ସାଧନା ମୋର ସମସ୍ତ ଆକାଙ୍‌କ୍ଷା

ଚୁରମାର ହେଲା ଯେବେ ଦିନ ଦିନ ଧରି

ଏତେ ଚାହିଁ ଏତେ କରି ଏକଇ ନିମେଷ

ପାରିଲିନି ଯେବେ, ମୁହିଁ ବାରେ ସ୍ପର୍ଶ କରି–

ଜୀବନର ଯେ ବାଞ୍ଛିତ ନିଧି ଟିକ ମୋର–

କେମନ୍ତେ କହିବି ନାଇଁ କୋଟି ଅଶ୍ରୁ ଢାଳି

ଏଇ ମାଟି ଏ ଆକାଶ ନୁହେଁ ମୋହ ପାଇଁ

ମୁଁ ଯେହ୍ନେ ଆସିଛି ମୋର ଦେଶ କାହିଁ ଛାଡ଼ି !

ସତେ କିରେ ଏଇ ମାଟି ନୁହେଁ ମୋର ଘର

ନୁହେଁ ମୋର ଆପଣାର ଏ ପଥ ପ୍ରାନ୍ତର

ସତେ କିରେ ଜୀବନର ପଲକେ ପଲକେ

କେ ମୋରେ କରୁଚି ଏଥି ହୃଦୟୁ ଅନ୍ତର !

ନାସିକା କୁଞ୍ଚନ କରି ମହା ଅବଜ୍ଞାରେ

କ ମୋରେ ରଖିଚି ଦୂରେ ଆବର୍ଜନା ପରି

ଲୁହ ମୁଁ ନକାନ୍ଦି ଖାଲି କାନ୍ଦୁଚି ରକତ

ଶର ବିଦ୍ଧ ବିହଗର ଆର୍ତ୍ତନାଦ ସରି !

ହରାଇଚି ବିଶ୍ୱାସ ମୁଁ, ହରାଇଚି ଆଜି

ସକଳ ସାହସ ଆଶା ଭରସା ମୋହର

ନୁହେଁ ମୁହିଁ ଏ ମାଟିର ମୁଁ ଯେ ଅନ୍ୟ ଜୀବ

କକ୍ଷଚ୍ୟୁତ ହୋଇ ଏଥି ପଡ଼ିଚି ମାତର !

ମୋ ଦେହ ନୁହଇ ଦେହ, ମୋର ସୁଖ ଦୁଃଖ-

ନୁହେଁ ସୁଖ ଦୁଃଖ ଖାଲି ମହା ଅବାନ୍ତର

ମୋ ଶୋଣିତ ପ୍ରତି ବିନ୍ଦୁ ଭିତରେ ଭିତରେ-

ଯେହ୍ନେ ନାଇଁ ଜୀବନର ରେଣୁ ମାତ୍ର ଝର !

ନିଊନ ମୁଁ ନିଊନ, ମୁଁ ଅତିହିଁ ନିଊନ,

ନାଇ ମୋ ଥିତିରେ ପ୍ରାଣ ଭରା ଗଉରବ

କାଳ କାଳ ଧରି ମୁଁ ଯେ ସମସ୍ତ ମୁହୂର୍ତ୍ତ

କରୁନିକି ବୁକୁଭରି ଏଥି ଅନୁଭବ !

କଥା କହ କଥା କହ ମତେ କଥା କହ

କେ କହିବ କଥା ତତେ କିଏ ଅଛି ତୋର ?

ଦୂର ପ୍ରତିଧ୍ୱନି ପରି ପିଟି ହୋଇଯାଏ

କାନେ ମୋର ଢାଳି କିବା ଅବସାଦ ଘୋର !

ଚାହିଁ ମୋରେ ଚାହିଁ ମୋରେ କେ ଚାହିଁବ ତତେ

ମହାଶୂନ୍ୟୁ ଆସିଯାଏ ନିର୍ମମ ଉତ୍ତର

ବସିଯାଏ ଥକା ମାରି ମୁହିଁ ଯେହ୍ନେ ଅବା

କେଉଁ ରାଜପଥ ଧାର ଅକାମୀ ପଥର !

ଆସ ମୋ ପାଖକୁ ଲବେ ଶୁଣିଯାଅ ମୋର

ଜୀବନର ମର୍ମନ୍ତୁଦ ଇତିହାସ ଗୋଟି

ତୋର ପୁଣି ଇତିହାସ ? ଅଟ୍ଟହାସ କରି

କିଏ ଚାଲି ଯାଏ ନାଇଁ ପୁଛି କଥା ଦୋଟି !

ଟିକେ ହେଲେ ରହିଯାଅ ପାଖ ଦେଇ ମୋର

କେ ଯାଉଚ ପଥଚାରୀ ରହ ଦଣ୍ଡେ ରହ

କେ କିମ୍ପା ରହିବ ? ମୁହିଁ ଶୁଣି ପାରେ ନି କି ?

ଲାଗେ କେହ୍ନେ ଏ ଜୀବନ ଅତୀବ ଦୁର୍ବହ ।

କାକୁତି ମିନତି କରି ବଞ୍ଚି ରହିବାଠୁ

ନରକ ଯନ୍ତ୍ରଣା କାହିଁ ଅଛି କିରେ ବଡ଼ ?

ଯେଉଁ ବଞ୍ଚି ରହିବାରେ ଯାଏରେ ଦୋହଲି

ମୁହୂର୍ତ୍ତ ମୁହୂର୍ତ୍ତ ଧରି ଏଇ ବୁକୁ ତଳ !!

ମଣିଷଠୁ ବଳି କିଏ ଅଛିରେ ସୁନ୍ଦର ?

ନିଖିଳ ଏ ଧରଣୀର ଦିଗଚକ୍ର ଧରି

ମଣିଷଠୁ ବଳି କିଏ ଅଛି ବଳୀୟାର

ପାରିବ ଏ ଧରଣୀକୁ ଋଦ୍ଧିମନ୍ତ କରି ?

ମଣିଷଠୁ ବଳି କିଏ ବିରାଟ ବିପୁଳ

ଦିଶି ଦିଶି ପାରିବରେ ଶତ ଶୋହା ଢାଳି

ମଣିଷଠୁ ବଳି କିଏ ଅଛି ପ୍ରାଣବାନ

ବେଦନାରେ ଆନନ୍ଦର ମାୟା ଦେବ ବାଢ଼ି ।

ମଣିଷକୁ ଛାଡ଼ି ଦେଲେ ସମସ୍ତ ଏ ମାଟି

ନୁହେଁ କିରେ ପ୍ରାଣହୀନ ଅର୍ଥହୀନ ଖାଲି

ମଣିଷହିଁ ଚତୁର୍ଦ୍ଦିଗେ ଦେଇଚିରେ ୟାର

ଶତ ଶତ ସ୍ୱର୍ଣ୍ଣଶିରୀ ଅକାତରେ ଛାଡ଼ି !

କାହିଁ ସେ ମଣିଷ କାହିଁ ପ୍ରାଣର ମଣିଷ ?

ଲୁହସିକ୍ତ ନୟନେ ମୁଁ ରହିଅଛି ଚାହିଁ

ତା’ ଟିକକ ପରଶେ ମୁଁ ଉଠନ୍ତିରେ ଜୀଇ

ପାଷାଣୀ ଅହଲ୍ୟା ପରି ଜୀବନ୍ୟାସ ପାଇ !

ଯାଆନ୍ତିନି ମରି ମରି ଉଠନ୍ତିରେ ଫୁଟି

ଅଶୋକ ସ୍ତବକ ପରି ନବ ବସନ୍ତର

କେତେ ନବ ଉନ୍ମାଦନା ସାହସ ଉତ୍ସାହ-

ଭିତରେ ମୁଁ ଦିଶୁଥାନ୍ତି ନିୟତ ଭାସ୍ୱର !

Image

 

ଦେଖା

 

ସେ ଚାଲିଲା, ମୁଁ ଚାଲିଲି, ପଥପ୍ରାନ୍ତେ ନିମିଷକ ଦେଖା !

ସେଇ ଶୁଷ୍କ ମଳିନ ବଦନ, ସେଇ ତା’ର ବିଦଗ୍‌ଧ ଅନ୍ତର

ରହିଚି ମୋ ମନ ତଳେ ଲେଖା !

ପଚାରିଲି କେମିତି ଚାଲିଚି ! ଭଲ ସବୁ ?

ଲୁହେ ଆଖି ଛଳ ଛଳ କରି–

ଜୀବନର ତିକ୍ତ ଇତିହାସ କହିଗଲା ଗୋଟିଏ ନିଶ୍ୱାସେ

ଯହିଁରୁ ବେଦନା ଖାଲି, ଅନନ୍ତ ବେଦନା !

ପଡ଼ୁଥିଲା ଝର ଝର ଝରି !!

ସୀମାହୀନ ଅଭାବ ଓ ଅଭିଯୋଗ ଧରି

ତାର କ୍ଷୁଦ୍ର ଜୀବନଟି ହେଉଅଛି ଖାଲି କଲବଲ !

ଟିକିଏ ଶାନ୍ତି, ଟିକିଏ ଆନନ୍ଦଛଇ–

ହେବା ପାଇଁ ଦେହେ ମନେ ତାର ଢଳ ଢଳ

ତା’ ସାରା ଜୀବନ ଧରି ଆସୁଚି ସେ ଖୋଜି,

କିନ୍ତୁ ସବୁ ବ୍ୟର୍ଥ, ସବୁ ଆଶା ଚୁରମାର

ଯେହ୍ନେ ନିରନ୍ତର !!

ଏହି ମହା ଧରଣୀର ଜଟିଳ ସଂଗ୍ରାମେ

ସେ ଯେ ପଙ୍ଗୁ, ପରାଜିତ, ସେ’ ଯେ ସାଥିହରା !

ରହି ଅଛି ଚିରଦିନ ହୋଇ ଦରମରା !

ଘୋସାରି ହୋଇ କେତେ ଦିନ ! କି ସମ୍ପଦ ଲାଗି ?

ବାହିନେବ ତା’ ଜୀବନ ତରୀ !

ଜୀବନ ! ଜୀବନ ! ଆହା ମଣିଷ ଜୀବନ !

ଟିକିଏ ନ ପାଇ ମିଠା

କେମନ୍ତେ ସେ ସୀମାହୀନ କଲବଲେ ଯାଏ ମରି ମରି !!!

ସେ ଚାଲିଲା ମୁଁ ଚାଲିଲି ପଥପ୍ରାନ୍ତେ ନିମିଷକ ଦେଖା !

ମୁଁ ଦେଖୁଚି ସିଏ କେଉଁ ମହା ସାଗରର–

କଜଳ କଳା ଢେଉର ଅତଳ ତଳେ ଯାଉଅଛି ବୁଡ଼ି !

ସେ ଦେଖୁଚି ଅନନ୍ତ ସଂସାର–

ତା’ ଆଖିରେ ଆଶ୍ରୟହୀନ ମହାଶୂନ୍ୟ ପୁରୀ !!!

Image

 

ରହିବି ଚାହିଁ

 

ତାହାରି ଯେବେ କେହି ଧରଣୀ ତଳେ ନାଇଁ

ରହିବି ରହିବି ମୁଁ ତାହାରେ ନିତି ଚାହିଁ !

ଆଖିରୁ ପୋଛି ଦେବି ଉଷ୍ମ ଲୁହଟିକ

କହିବି ତା’ରେ ବାଣୀ ମଧୁର ସମଧିକ !

ଶୁଷ୍କ ଓଠେ ତା’ର ବୋଳିବି ହସଟିଏ

ଧରଣୀ ତଳେ ସେକି ମୋହର ନୁହେଁ କିଏ ?

ଗଭୀରୁ ଗଭୀର ତା’ ବୁକୁର ବେଦନାରେ

ମରି ସେ ଯାଉନି କି ଆର୍ତ୍ତ ହାହାକାରେ !

ତାହାର ନାଇଁ ସଖା ତାହାର ନାଇଁ ସାଥି

ତାହାରି ପାଇଁ କିଏ ଦେଉନି ଖୋଲି ଛାତି !

ଉଠୁନି ପଲ୍ଲବ ତାହାର ବୁକୁତଳ

କ୍ଷୀଣରୁ କ୍ଷୀଣ ହୋଇ ମରୁଚି ପଳ ପଳ !

ତାହାରି ଯେବେ କେହି ଧରଣୀ ତଳେ ନାଇଁ

ରହିବି ରହିବି ମୁଁ ତାହାରେ ନିତି ଚାହିଁ !

ପଡ଼ିଚି ପଥେ ଯେହୁ ଅସୀମ ନାରଖାରେ

ତାହାରେ ଛାଡ଼ି ମୁହିଁ କୁଆଡ଼େ ଯାଇପାରେ ?

ତୃଷ୍ଣାଭରା ଆଖି ଢାଳି ଯେ ଅଛି ଚାହିଁ !

ଚକଟି ଦଳିତାରେ କିଭଳି ଯିବି କାହିଁ ?

ସେ ଧନ ଦଉଲତେ କି ଅଛି ଲୋଡ଼ା କହ ?

ଯେଉଁଠି ଚାହିଁ ମତେ କାନ୍ଦେ ଅସହାୟ !

ମଣିଷଟିଏ ମୁଁ ଯେ ମଣିଷ ପାଇଁ ଗଢ଼ା

ମଣିଷପାଇଁ ଦେବି ସେନେହ ବୁକୁଭରା !

ମୋହରି ହସଖେଳ, ତାହାରି ହସଖେଳେ

ତାହାରି ଗୌରବେ ମୋ ବୁକୁ ଉଦ୍‌ବେଳେ !

ତାହାରି ଯେବେ କେହି ଧରଣୀ ତଳେ ନାଇଁ

ରହିବି ରହିବି ମୁଁ ତାହାରେ ନିତି ଚାହିଁ ।

Image

 

କେଉଁ ଅନ୍ଧାରେ ଚାଲ ବାହି ତୁମ ତରଣୀ !

 

ଯେଉଁଠାରେ ନାଇଁ ହୃଦ ଦିଆ ଦେଇ ଟିକିଏ

ଇମିତି ରାଇଜ କିଏ କାହିଁ ଅଛ ଦେଖିହେ ?

କଥାକେ କଥାକେ ଖାଲି ଚାଲ୍‌ବାଜି ଖେଳଇ

ଜଣକୁ ଜଣେ ଯେ ଜଗି ଜଗି ଖାଲି ଚଳଇ !

ଜଣେ ଯେବେ ହସି ହୃଦଭରି କଥା କହଇ

ଆନ ଜଣେ ଖାଲି ଗମ୍ଭୀର ହୋଇ ରହଇ !

ସେନେହ ସୋହାଗ ମଧୁ ଆଳାପନ ଭିତରେ

ଖୁର ଧରି ଜଣେ ତୋଟି କାଟି ଚାଲେ ସତରେ ।

ସତ କହିବାକୁ କା’ର ଛାତି ନାଇଁ ପତାଏ

ମିଛ କହିବାକୁ ଜଣେ ଯେ ଜଣକୁ ବତାଏ

ମିଛରେ ଭଣ୍ଡି ଯେ ଯାରେ ପାରିଲା ମାରି ହେ

ସେ ପୁଣି ସବୁଠୁ ପାରିବାର ଅଟେ ଭାରି ହେ ।

ହଟହଟା କରି ଆନକୁ ପାରିବା ଦବାଇ

ଆନର ବିପଦେ ହସି ବାହାଦୂରୀ ନବାହିଁ -

ପୌରୁଷ ବୋଲି ଗର୍ବେ ଯେ ଛାତି ଟେକଇ

ସିଏ ପୁଣି ସାର ମଣିଷ ଦୁନିଆ ଲେଖଇ !!

ଆଜି ଯିଏ ତୁମ ବନ୍ଧୁ ପଡ଼ିଶା ଭାଇ ହେ

କାଲି ଦି’ ଗୋଇଠା ଦେଲଣି ତାହାକୁ ଥୋଇ ହେ

ପରଦିନ ତାକୁ ପଥ ଭିକ୍ଷୁକ କଲଣି

ଜୀବନ ଧରି ଯା ବଞ୍ଚି ରହିଚ, ମଲନି ?

ସୀମାହୀନ କେତେ ଜୀବନର ଢେଉ ଖେଳଇ

ଚାହିଁ ଦେଲେ ତିଳେ ଅନ୍ତର କେତେ ପୂରଇ ?

ଏ ମହାଲୀଳାରେ ଆଶ୍ଳେଷ ଦେଇ ନିୟତ

ଚାଲିବାକୁ ତୁମ ଇଚ୍ଛା ହେଉନି କିୟତ ?

ଅନ୍ତର ଭରି ଦୁନିଆକୁ ଭଲ ପାଇବା

ଦୁନିଆ ଓଠରେ ହସର ଜୁଆର ବାହିବା

ଏକି ନୁହେ ତୁମ ଜୀବନର ମଧୁ ସରଣୀ ?

କେଉଁ ଅନ୍ଧାରେ ଚାଲ ବାହି ତୁମ ତରଣୀ ?

Image

 

ଦେଉ ସେ ଯେତେ ବାଧା ଦବ !

 

–୧–

ଜୀବନେ ଯେତେବାର ଲୋଡ଼ିଲି ଠିଆ ହେବି

ଧରଣୀ ବାଧା ଦେଲା ମୋତେ

ପଡ଼ିଚି କେତେ ବାର ଛିଡ଼ିଚି ଦେହ ସାରା

ତଥାପି ଚାଲିଚି ମୋ ପଥେ

ଆଘାତ ପ୍ରତିଘାତ ସହିଚି ବହୁବାର

ନୟନୁ ଝରିଅଛି ଅଶ୍ରୁ ଧାର ଧାର

ଜାଗିଚି କେତେ କୋହ ଏ ବୁକୁ ତଳେ ମମ

କେ ଜାଣି ପାରିବ ବା ସତେ ?

ଜୀବନେ ଯେତେବାର ଲୋଡ଼ିଲି ଠିଆ ହେବି

ଧରଣୀ ବାଧା ଦେଲା ମତେ !

–୨–

ସବୁରି ନୟନେ ମୁଁ ହେୟ ଅପଦାର୍ଥ

ଅତିହିଁ ଦୀନହୀନ ପ୍ରାଣୀ

ମୋରେ କେ ଦେଇ ନାଇଁ ସେନେହ ସମ୍ମାନ

କହିନି ପଦେ ମଧୁବାଣୀ

ଯହିଁ ମୁଁ ଠିଆ ହୁଏ ଧରଣୀ ତଡ଼ି ଦିଏ

ସେନେହ ଗଉରବ କାହିଁ ବା ଦେବ କିଏ ?

ଆଖିର ଲୁହ ମୋର ଆଖିରେ ମାରି ମାରି

ବିତାଏ ମୋର ଦିବା ଯାମୀ

ସବୁରି ନୟନେ ମୁଁ ହେୟ ଅପଦାର୍ଥ

ଅତିହିଁ ଦୀନ ହୀନ ପ୍ରାଣୀ !

–୩–

ଅଭାବ ଭିତରେ ମୁଁ ନିୟତ ଗତି କରେ

ନୁହେଁ ମୁଁ ଧନଶାଳୀ ଜନ

ସବୁରି ବିଦ୍ରୂପ ସହେ ମୁଁ ସହିପାରେ

ମଉନେ ମାରି ଦେଇ ମନ

ଯେଉଁଠି ରହିଅଛି ଅଭାବ ଅନାଟନ

ସେଇଠି ଧରଣୀର କାହିଁକି ନିପୀଡ଼ନ ?

ଛୋଟରୁ ଛୋଟ କରି ସେଇଠି ମଣିଷକୁ -

ମଣିଷ ଦେଖେ ଅନୁକ୍ଷଣ

ଅଭାବ ଭିତରେ ମୁଁ ନିୟତ ଗତି କରେ

ନୁହେଁ ମୁଁ ଧନଶାଳୀ ଜନ;

–୪–

ଧରଣୀ ମୋ ବେଦନା ନ ବୁଝୁ ଲବେ ହେଲେ

ଦେଉ ସେ ବାଧା ଯେତେ ଦବ

ଉଠି ମୁଁ ନାଇଁପାରେ, ଉଠିବା ପାଇଁ ପ୍ରାଣେ

ଜଳୁ ସେ ଆଶା ଅଭିନବ;

ଆସିବ ଦିନ, ଦିନେ ଫୁଟିବ ଫୁଲକଳି

ଗନ୍ଧ ଯିବ ତାର ସମୀରେ ସଞ୍ଚରି,

ପତିତ ଚିରକାଳ ପତିତ ନାଇଁଥାଏ

ଦିନେ ତା’ ଫୁଟେ ଗଉରବ

ଧରଣୀ ମୋ ବେଦନା ନ ବୁଝୁ ଲବେ ହେଲେ

ଦେଉ ସେ ଯେତେ ବାଧା ଦବ !

Image

 

ଫେରିଅଛ

 

ଏ ଜୀବନ ଯେତେ ବଡ଼

ତାହାଠୁ ଆହୁରି ବଡ଼

ଜୀବନର ସ୍ୱାତନ୍ତ୍ର ଟିକକ

ସେଇ ଟିକ ହଜି ଗଲେ

ସେଥିରେ ଆସିଲେ ଆଞ୍ଚ

ସାରା ଜୀବନଟା ଯେହ୍ନେ

ଅସହ୍ୟ ବେଦନା ଭରା ଗୋଟାଏ ନରକ !

ଚିରଦିନ ଯେହ୍ନେ ଖାଲି

ବଞ୍ଚି ରହିବାକୁ ହୁଏ

ପ୍ରାଣହୀନ ସ୍ୱପ୍ନହୀନ

ମହା-ମେରୁ ସମ

ଗତିରେ ଥିତିରେ ହାୟ

ଜାଗେନା ଜାଗେନା ଲବେ

ପ୍ରାଣ ବୋଳା ମଧୁ ଉନ୍ମାଦନ !

ଫେରି ଅଛ ବନ୍ଧୁ ମୋର !

ସେ ଟିକ ସମ୍ପଦ ଧରି,

ପଦାଘାତ କରି ସବୁ-

ଅନାଚାର ପରେ !

ଜୀବନ ବୀଣାରେ ତୁମେ

ପାରିଚ ମୂର୍ଚ୍ଛନା ଢାଳି

ବୁଝିଚ ପ୍ରାଣର ମୂଲ୍ୟ

ଏ ଧରଣୀ ପରେ ।

ତୁମେ ନୁହଁ ମୁହିଁ ନୁହେଁ

ନୁହେଁ କେହି

କାହା ପରେ କରିବ ଜୁଲମ

ସଭିଙ୍କି ଏ ମାଟି ପରେ

ଚାଲିବାକୁ ହେବ ସଖା ।

ପରସ୍ପରେ ଦେଇ ଦେଇ

ସେନେହ ଓ ସମ୍ମାନ ପରମ !

ଫେରିଅଛ ବନ୍ଧୁ ମୋର !

ଫେରିଅଛ

ମରଣ ଭିତରୁ ଧରି

ଜୀବନର ସ୍ୱର୍ଣ୍ଣ କଣାଟିକ

ତୁମର ଏ ପ୍ରାଣ ଭରା

ଅଭିମାନ

ଲାଗେ ମୋରେ

ଅଧିକୁ ଅଧିକ !!

Image

 

ଗରୀବ-କୁଟୀର

–ଏକ–

 

‘‘ପୂଜାଛୁଟି ହୋଇଯିବ ଦିଆହେବ ଆଗତୁରା ଇସ୍କୁଲ ଦରମା

ନ ଦେଲେ ତ କଟିଯିବ ନାଆଁ

ନାଁ ପୁଣି ଲେଖାହେଲେ ପଡ଼ିବ ଅଧିକା ଫିସ୍‍

କେହିହେଲେ ଫିସ୍‌ଟାକୁ କରିବେନି କ୍ଷମା

ସେତ ଆମ ଇସ୍କୁଲ ନିୟମ

ବାପା ! ଏତେ ଭାବୁଚ କଣମ୍‍ ?’’

‘‘ଆରେ ବାପ ଏବେ ପରା ଦେଇଥିଲି

ମୋ ପାଖରେ ନାଇଁ ଆଉ ଜମା ପଇସାଏ !

ଉଷା ! ଉଷା ! ଖଡ଼ୁ ହଳ ପାଦୁକାଢ଼ି ଦିଅ ମୋତେ ଦିଅ

କାହାପାଖେ ଥୋଇଦେଇ

ଆଣିବି ଦି’ ଟଙ୍କା ହେଲେ,

ଯାଏଁ ବେଗି ଯାଏଁ’’

କାନ୍ଦ କାନ୍ଦ ହୋଇ କହେ ଉଷା

‘‘ନେବ ମୋର ଖଡ଼ୁ ହଳ ?

ଦି’ଟଙ୍କା କି ମିଳିବନି ?

ଏ ଗାଆଁରେ ଏ ସାଇରେ

କେହି କଣ ନାହାନ୍ତି ଆମର ?

ଘର କଣ ଭାଙ୍ଗି ଆମେ ଚାଲିଯିବା ଏଠୁ

ପାରିବାନି ସୁଝି ଟଙ୍କା ଦୁଇ ?

ଆମେ କଣ ଏତେ ପର ?

ଗରିବ ବୋଲି କି ଆମେ

ଦେଇଅଛୁ ବିଶ୍ୱାସ ହରାଇ ?’’

‘‘ନାଇଁ ଉଷା ! ତୁମେ କିଛି ବୁଝୁନାହଁ କଥା ?

ଆମର କି ଅଛି ଜମିବାଡ଼ି ?

ଆମର କି ଅଛି ଲୋ ଚାକିରି ?

ଅଛି କିଲୋ ବ୍ୟବସାୟ କିଛି ?

କି ସମ୍ପଦ ଦେଖି, ବା ଆମର

ଲୋକେ ଦେବେ ଧାର ବା ଉଧାର !

ଲାଗିଲେ ଖାଇବା ଆମେ

ନଇଲେ ରହିବା ଆମେ

ଖାଡ଼ା ଉପବାସ

ଗରିବର ନାଇଁ ବନ୍ଧୁ

ନାଇଁ ପ୍ରିୟ ନାଇଁ ଆପଣାର

ଗରିବକୁ ଡାକି କିଏ

ପୁଚ୍ଛେନାଇଁ ପଦେ ମଧୁଭାଷ ।’’

ଶିକୁଳା ଲଗାଇ ଉଷା କାଢ଼ୁଅଛି

ଗୋଡ଼ ଖଡ଼ୁ ତା’ର

ନେତ୍ର ପ୍ରାନ୍ତୁ ବହୁଅଛି

ଲୁହ ଧାର ଧାର

‘‘ହେଉ ହେଉ

ଧନ ମୋର ପଢ଼ୁ ପାଠ

ଦରମାଟି ଠିକ୍‌ ବେଳେ ଦେଇ

ସେ ଆସିଲେ ପାଶ୍‌କରି

ଲକ୍ଷେ ଟଙ୍କା ମୋର ଅଟେ ସେଇ !!’’

ଶ୍ୟାମ ବନ୍ଧୁ ବୁଲୁଚନ୍ତି ସାଇ ସାଇ ଖଡ଼ୁହଳେ ଧରି

ବନ୍ଧା ରଖି ହେଲେ ଦିଅ କିଏ ଟଙ୍କା ଦୁଇ ।

କେ କହୁଚି ‘‘ଦି’’ ଟଙ୍କାର ନୁହେ ସେ ଜିନିଷ

ହେଲେ ଆମେ ଟଙ୍କେ ଦେଇ ପାରୁ’’

ସେ କହୁଚି ‘ରସ ଖଡ଼ୁ ହଳେ

ବନ୍ଧା ରଖିବାକୁ-

ଭଲ ଲାଗୁନି ଜମାରୁ ।’

କିଏ ସେ ଦୋକାନୀ ଜଣେ ତଉଲୁଚି-

ବଦନ ହଲାଇ

କହୁଚି ଇଷତ୍‌ ହସି

ରଖିବ ଏହାକୁ କିଏ

ଦୁଇଟଙ୍କା ପାଇଁ ?

ନିରାଶ ନୟନ କରି ଅଶ୍ରୁ ଛଳ ଛଳ

ଶ୍ୟାମ ବନ୍ଧୁ ଫେରୁଚନ୍ତି ଘର !

କପାଳେ କାଟୁଚି ଖରା, ଗମ ଗମ ବୋହୁଅଛି ଝାଳ,

ଗୋଡ଼ ଦୁଇ ଧୂଳି ସର ସର,

ବଡ଼ କଷ୍ଟ ବଡ ବାଧା !

ପିଲାଟିକୁ ଆଉ ନାଇଁ ପାରିବି ପଢ଼ାଇ

ଭାବୁଚନ୍ତି ମର୍ମଗତେ,

ଦିନଯାକ ବୁଲି ବୁଲି ମାରେ ଝୋଲା ଝାଇଁ

ଘରେ ଯାଇ ପହଞ୍ଚିଲେ

ପ୍ରିୟା ତାଙ୍କ ଖରଡ଼ୁଚି ଶାଗ

‘‘ନାଇଁ ଉଷା ! ମିଳିଲାନି ଟଙ୍କା ଦୁଇ

ଆସିଲି ମୁଁ ବୁଲି ସାଇଯାକ’’

‘‘ମିଳିଲାନି ?

ହଉ ତେବେ ପାଦ ଧୂଅ

ଆଗ ଖାଇ ବସ

କରିଚି ମାଣ୍ଡିଆ ଜାଉ

ବେଳତ ଗଲାଣି ଗଡ଼ି

କରୁଥିବ କେତେ ଭୋକ ଶୋଷ !!’’

‘‘ଖାଇ ବସିବାକୁ ଉଷା ! ଇଚ୍ଛା ହୁଏ ନାଇଁ ।

ଗୋଟିଏ ବୋଲି ମୋ ପିଲା

ରହିବ ସେ ପଢ଼ା ଛାଡ଼ି ଦେଇ ?

ଦି’ ଅକ୍ଷର ପଢ଼ିଥାନ୍ତା

ହୋଇଥାନ୍ତା ମଣିଷ ଗୋଟିଏ

କେତେ ଆଶା କରିଥିଲି

ସବୁ ହୋଇଯିବ ଚୁରମାର ?

ପିଲାଟି ପଢ଼ୁଚି ଭଲ

କହୁଥିଲେ ମାଷ୍ଟର ତାହାର !

ଏ ଦେହର ପ୍ରତି ବିନ୍ଦୁ ରକ୍ତ ଦେଇ

ଆମେ ଉଷା ! ଗଢ଼ିଚେ ଯାହାରେ

ତା’ ଓଠରୁ ହସ ଯେବେ ଶୁଖିଯିବ

ମରିଯିବ ଯେବେ ତାର

ସୁନେଲି କଳ୍ପନା ସବୁ

କେମନ୍ତେ ବଞ୍ଚିବା କହ ଧରି ଏ ଜୀବନ ?

ଫୁଟୁଥିବା କୁସୁମରେ

କେମନ୍ତେ ଲୋ ବୃନ୍ତଚ୍ୟୁତ କରି

ପାଦରେ ମକଚି ଦେବା ?

ଉନ୍ମନ ଯେ କରିବାକୁ

ଗନ୍ଧ ବିକୀରଣ !!

ଛୋଟ ଝରଣାଟି ଯହିଁ

କୁଳୁ କୁଳୁ କଳତାନ କରି

ଲଘିଂ କେତେ

ବିଲ ବଣ ଶିଳା

ଚାଲିଚି ଲୋ ଦିବସ ଶର୍ବରୀ

କେମନ୍ତେ ତା’ କଳ ତାନ ମାରିବା କହତ ?

ବକ୍ଷେ ବହି ମଣିଷ ରକତ !

କାହିଁକି କାହିଁକି କହ

ଦରିଦ୍ର ଉପରେ

ଚିରଦିନ ଅତ୍ୟାଚାର ଅନାଚାର

ପୀଡ଼ନ ପେଷଣ ?

କାହିଁକି କାହିଁକି ସତେ

ସମାଜରେ ଦରିଦ୍ରର ସ୍ଥାନ ଅକିଞ୍ଚନ !

କାହିଁକି କାହିଁକି ସତେ

ଦରିଦ୍ରର ନେତ୍ର ପ୍ରାନ୍ତୁ

ବହୁଥିବ ଉଷ୍ଣ ଅଶ୍ରୁ ବାରି ?

କାହିଁକି କାହିଁକି ସତେ

ପଥ ପ୍ରାନ୍ତେ ଗୃହ କଣେ

ସୀମାହୀନ ଅଭାବରେ

ହୋଇ ଆତ୍ମହରା

ଦରିଦ୍ର ପିଣ୍ଡରୁ ଯିବ

ପ୍ରାଣବାୟୁ ଚାଲି ?

ଦରିଦ୍ରର ଧନ ନାଇଁ

ମାନ ନାଇଁ

ସ୍ଥାନ କିମ୍ପା ନାଇଁ ?

ତା ଅନ୍ତର କହ କିମ୍ପା

ଯିବ ମରି ମରି

ତା’ଜୀବନ ରହିଥିବ କିମ୍ପା

ମଳିନ ବିଶୁଷ୍କ ହୋଇ

ମରୁଭୂମି କଣ୍ଟାଗଛ ପରି ?’’

‘‘ଏ ସକଳ ପ୍ରଶ୍ନ ଆଜି

ମୋ ବୁକୁରେ

ଜାଳୁଅଛି ବିଦ୍ରୋହର ନିଆଁ

ମୁଁ ତ ହୋଇ ଯାଉନି ଛାନିଆ ।

ଦାରିଦ୍ର୍ୟର କଷାଘାତେ

ଜଣେ ଯେବେ ପୃଥିବୀର କେଉଁ ପ୍ରାନ୍ତେ

ହୁଏ କଲବଲ,

ବୁଝିବାକୁ ହେବ ଉଷା !

ପୃଥିବୀ କରୁଚି ନିଶ୍ଚେ

ଜୁଆଚୋରୀ, ଡକାୟତି

ଲୁଚି ଲୁଚି ଛପି ଛପି କାହିଁ !

ଚାଲୁନି ଚାଲୁନି ସିଏ

ସତ୍ୟର ସୁବର୍ଣ୍ଣ ରଥେ

ନିର୍ଭୀକ ନିର୍ମଳ କରି

ତା’ର ବୁକୁତଳ!!!’

‘‘ଏଇ ମୋ ପିଲାଟି ଦେଖ

କେମନ୍ତେ ରହିଚି ଚାହିଁ

ନିରାଶ ନୟନେ !

କାଳେ ସିଏ ଆଜିଠଉଁ

ପାରିବନି ପଢ଼ି !’’

ପ୍ରିୟତମ ! ଆଉ ନାଇଁ କିଛି

ଅଛି ଏଇ ଭଙ୍ଗାଦଣ୍ଡି

ଯହିଁରେ ରହିଚି ଟିକେ

ଖାଣ୍ଟି ସୁନା ଜୟପୁରୀ

ନିଅ ୟାକୁ ବିକି ଦିଅ ନିର୍ବିଚାରେ

ଯାଉ ଏଇ ଘର ଖଣ୍ଡ,

ବିକା ହେଉ ବାଡ଼ି

ପଢ଼ୁ ପାଠ ମୋର ଧନମାଳି

ପାଠ ପଢ଼ି ଯୋଗ୍ୟ ହୋଇ

ହସି ଖେଳି ରହିଲେ ପିଲାଟି

ସେ ଆମର କୋଟିନିଧି,

ସେ ଆମ ସୁନାର ସ୍ୱର୍ଗ,

କାହିଁକି ଭାଳୁଛ ଆଉ

ଖାଇ ବସ ଗଡ଼ିଲାଣି ବେଳ !’’

‘‘ଉଷା ! ଉଷା ! ଦେଖି ଏଇ -

ପୃଥିବୀର କ୍ରୂର ଜୁଆଖେଳ

ମୋର ପ୍ରତି ରକ୍ତ ବିନ୍ଦୁ

ଉଠୁଚି ଉତ୍ତପ୍ତ ହୋଇ

ଲକ୍ଷ ଲକ୍ଷ ପୁତ୍ର କନ୍ୟା ନରନାରୀ

ବିପନ୍ନ ଯେଉଁଠି,

କେମନ୍ତେ ରହିବି

ମୁହିଁ ସ୍ଥିର ହୋଇ ତହିଁ ?’’

 

–ଦୁଇ–

 

‘‘ସୀମାହୀନ ପୁରପଲ୍ଲୀ ଚତୁର୍ଦ୍ଦିଗେ ଚାହିଁ ଦେଲେ ଉଷା !

ମୁଣ୍ଡ ମୋର ଯାଏ ଲୋ ଘୁରାଇ

ଦୀନ ଦୁଃସ୍ଥ ରୁଗ୍‌ଣ ପଙ୍ଗୁ କେ କାହିଁ ଅଛନ୍ତି ପଡ଼ି

କେତେ କଲବଲେ ଦିନ ନିଅନ୍ତି ପୁହାଇ !

ଚିରା କନାଟିକେ କିଏ ପାଉ ନାଇଁ ହେବାକୁ ଘୋଡ଼ାଇ

କା’ ଅନ୍ତ ଯାଇଚି ଶୁଖି ନ ଖାଇ ନ ପିଇ

ତୁଣ୍ଡରୁ କା’ କଥା ପଦେ ବାହାରୁ ତ ନାଇଁ ।

ପ୍ରାଣପୂରା ହସଟିକେ କା’ ଓଠରେ ହେଉନାଇଁ -

ଲବେ ଢଳ ଢଳ

ଚାଲିଲେ କେ’ ପାରୁନାଇଁ ସିଧା ଓ ସଳଖେ

ଆପାଦ ମସ୍ତକ ତା’ର ହୁଏ ଟଳ ଟଳ !

ଛିଡ଼ୁଚି କାହାର କଫ ପେଲୁଅଛି ଧଇଁ

କା’ ଦିହରେ ଫୁକା ଫୁକା ଛଉ

ତ୍ୟକ୍ତ ଆବର୍ଜନା ପରି

ସମାଜର ହତାଦର ବହି, ପଡ଼ିଚି ସେ ରହି !

ନବ ଯଉବନ ଛଇ ପ୍ରତି ଅଙ୍ଗେ ବହି

ଯେ କିଶୋରୀ, ବଧୂ ଆଜି

ପ୍ରିୟ ତୁଲେ ତା’ର ରଚୁଥାନ୍ତା କେଳି

ବଳିତା ପରାଏ ତାର ପ୍ରତି ଅଙ୍ଗ,

ଯାଇଅଛି ଶୁଖି !

ପର୍ଯ୍ୟୁସିତ ଫୁଲ ପରି ପଡ଼ିଚି ମେଞ୍ଚାଟି ହୋଇ

ଜର ରୋଗ, କାଶ ତାରେ ରହିଅଛି ବେଢ଼ି ।’’

‘‘ଏଇ ଦେଖ ! ଉଷା !

ଏଇ ଯେ ପିଲାଟି କା’ର

ଦୋକାନକୁ ଯାଉଅଛି ଆଣିବାକୁ ମାଲପା ଟିକିଏ

ଦି’ ପାହୁଣ୍ତ ଚାଲି ଟିକିଏ ବସୁଚି

ଫୁଙ୍କିଦେଲେ ଉଡ଼ିଯିବ ସିଏ !

ଅଇଁଠା ଗଦାରେ ବସି

ବିରାଡ଼ି କୁକ୍‍କୁର ପରି

ଟିକି ଟିକି ପିଲାଛୁଆ କା’ର

ଭାତ ଟୁଙ୍କି ଖାଉଚନ୍ତି,

ଦୁଃସହ ଦୁର୍ବହ ଲାଗେ

ଦେଖିବାକୁ ହତଭାଗ୍ୟ ମଣିଷ ସଂସାର !

ଗୁମ୍ଫି ଗୁମ୍ଫି ଘର ସବୁ

ପବନ ଓ ଆଲୋକର

ନାଇଁ ଗତାଗତ

ତା’ ଭିତରେ ଜନ୍ତୁ ପରି

ମୋହରି ମଣିଷ ଭାଇଭଉଣୀ ଶତେକ

କେଡ଼େ ନାରଖାରେ ସତେ

ନାହାନ୍ତି ସେ ରହି ।

ଅଭାବର କଷାଘାତେ

ନିଷ୍ପେଷିତ ହୋଇ ଅବିରତ !

ମଣିଷ ଭିତରେ

କେତେ କଣ ଅତୁଳ ସମ୍ପଦ ରହିନାଇଁ !!!

କେହି ହେଲେ ଏ ମାଟିରେ ଜଣେ ବୁଝୁନାଇଁ !!

ଫଟାଇ ଏ ଆକାଶ ଅବନୀ

ମର୍ମଭେଦୀ ଗଭୀର ଚିତ୍କାର କରି

ବିସ୍ମୃତିର ଅନନ୍ତ ଅନ୍ଧାରେ

ସେ ଫୁଟନ୍ତ ଫୁଲକଢ଼ି ଯିବ ଝଡ଼ି ଝଡ଼ି

ତା’ ଆତୁର ରଡ଼ି

କା’ ବୁକେ କମ୍ପନ

ଯାଉ ନାଇଁ ଲବେ ସୃଷ୍ଟି କରି !’’

 

–ତିନି–

 

‘‘ଥରେ ବସି ଚିନ୍ତାକର ଉଷା !

ଆମ ଗାଆଁ କୁସୁନିଆ ଯାଇଅଛି ମରି

ତା’ ପାଇଁ କାହାରି ନେତ୍ରୁ

ଲୁହଟିର ଯାଇନାଇଁ ଝରି !

ତା’ ପାଇଁ ଅନ୍ତର କା’ର ହୁଏ ନାଇଁ ବ୍ୟଥିତ ବିକଳ

ସେ ଯେହ୍ନେ ଧରଣୀ ପରେ

କାଠ ବା ପାଷାଣ ପରି ନିର୍ଜୀବ ଅନ୍ତର !

ଜଳୁଚି ତା’ ଚିତାନଳ ଶମଶାନେ ସ୍ୱର୍ଣ୍ଣଶିଖା ମେଲି

କାହା ଅନୁଭବେ ସେହୁ ଆସେନାଇଁ ଲବେ ହେଲେ ଫେରି !

ଦରିଦ୍ର ସେ, ଅଭାଗା ସେ, ରୁଗ୍‌ଣ ସିଏ

ଚିରଦିନ ବେଦନାର ସାଥି

ବଢ଼ିନି ସେ ଖାନଦାନ୍‍ ଘରେ

ଚାଲିନି ସେ ରାଜପଥେ ଫୁଲାଇ ତା ଛାତି !

ପିନ୍ଧିଥାଏ କଳାକନା ଧରିଥାଏ ବାଡ଼ି ଖଣ୍ତେ !

ଚାଲୁଥାଏ ଛୋଟେଇ ଛୋଟେଇ

ଭିକ ଗଣ୍ତେ ମାଗି ଆଣି ଶମେ ତା’ ଉଦରଜାଳା

ଧରଣୀରେ ଆପଣାର ନାଇଁ ତାର କେହି !’’

‘‘ତା’ର କ’ଣ ଭଲ ଗୁଣ ନାଇଁ ଥିଲା କିଛି ?

ଥିଲା ତାର ଥିଲା !

ଚିହ୍ନୁଥିଲା ଚେରମୂଳ ଅଉଷଧ ପାଇଁ

ଆଣୁଥିଲା ଖୋଜି ଖୋଜି ବଣ ବୁଦାଶିଳା !

ମଧୁକଣ୍ଠ ଫେଇ ସେହୁ ଗାଉଥିଲା-

ବସନ୍ତ ରାସର ଗୀତି

ଚଇତାଳି ରାତେ ବସି ଗାଁ ମଣ୍ତପରେ

କେତେ ଲୋକ ଏ ଗାଆଁ ର ଶୁଣୁଥିଲେ କାନପାରି

କି ଅମୃତ କଣ୍ଠ ସିଏ ପାଇଥିଲା ବିଧାତାର ବରେ !

ଦରିଦ୍ର କୁଡ଼ିଆଟିରେ ବେଳେ ବେଳେ ବସି

ଟିକି ପିଲାଙ୍କର ମନ ବିନୋଦନ ପାଇଁ

ସୁନ୍ଦର ଖେଳନା କେତେ ତିଆରି କରିଚି,

ଦି’ ପଇସା ପାଏ ତହୁଁ

ପିଲେ ଆଉ ସେ ଖେଳନା ପାଇବେ ତ ନାଇଁ !

ପୃଥିବୀକୁ କରିନାଇଁ କେତେ କଥା ଦାନ

ଆଜି ସେହୁ ହୀନିମାନେ ଯାଇଅଛି ମରି

କାହା ନେତ୍ର ପ୍ରାନ୍ତୁ ହାଇ !

ତାହାଲାଗି ଲୁହଟିଏ ଯାଉନାଇଁ ଝରି !

କୁସୁନିଆ ଏ ଦେଶର ନୁହେଁ ମନ୍ତ୍ରୀ ନୁହେଁ ବାଚସ୍ପତି !

କୁସୁନିଆ ନୁହେଁ ଏ ଦେଶର ଜ୍ଞାନୀ ବା ପଣ୍ତିତ !

ତାହାଠାରେ ନାଇଁ ଥାଇପାରେ ପ୍ରଚୁର ଶକତି !

କୁସୁନିଆ ନୁହେଁ ଏ ଦେଶର ଉଚ୍ଚ ପଦବୀର-

ରାଜ କର୍ମଚାରୀ

କୁସୁନିଆ ଚଢ଼ିନି ଜୀବନେ

ମଟର ବା ଏରୋପ୍ଳେନ୍‌ ଗାଡ଼ି

କୁସୁନିଆ କୁସୁନିଆ ଖାଲି

ସେଇ ଝାଟିମାଟି କୁଟୀରର ନିଧନ ସଙ୍ଖାଳି !

କୁସୁନିଆ କୁସୁନିଆ ଖାଲି-

ତା’ ଅନ୍ତର ଯେତେ ଟିକେ ମଧୁ

ତା’ ଦରିଦ୍ର ପଲ୍ଲୀଗାଏଁ ବକ୍ଷଭରି ଦେଇଅଛି ଢାଳି !

କୁସୁନିଆ ଏଇ ମହାପୃଥିବୀର ଗୋଟିଏ ଦରିଦ୍ରଜୀବ

ପୃଥିବୀର ଇତିହାସେ ନାଇଁ ପାଇ ପାରେ ସ୍ଥାନ

କିନ୍ତୁ ଚିରଦିନ ମନେ ପଡ଼ୁଥିବ ନିକି

ଦାରିଦ୍ର୍ୟ ଭିତରେ ସଢ଼ି

କେମନ୍ତେ ସେ ଗାଉଥିଲା ମଧୁଭରା ଗାନ ।

ଚେରମୂଳ ଅଉଷଧ ଚିହ୍ନିଆଣି

କେମନ୍ତେ ବଞ୍ଚାଉଥିଲା ଶତ ନିଃସ୍ୱ ପ୍ରାଣ !

ଟିକି ଟିକି ପିଲାଙ୍କର ଓଠେ

କେମନ୍ତେ ଫୁଟାଉଥିଲା ଅସରନ୍ତି ହାସ

କାହାକୁ ସେ କେତେ ଭିନେ

ଖେଳନା ଯେ ଦେଉଥିଲା

ପୁନିଅ ପରବ ଦିନେ ହେଲେ ନାଟ ଯାତ !’’

‘‘କୁସୁନିଆ ସେଇ ଝାଟିମାଟି କୁଟୀରର

ନିଧନ ସଙ୍ଖାଳି

କି ନିଠୁର ହୀନିମାନେ

ଆରପାରେ ଯାଇଅଛି ଚାଲି !

କାହାର କରିନି କ୍ଷତି

ସୀମାହୀନ ଜନତାର ଆର୍ତ୍ତ ହା’ହାକାର

ପଦତଳେ ଦଳି

ବଡ଼ ହେବାପାଇଁ ସ୍ୱପ୍ନେ ବଳାଇନି ମତି !

ସବୁରି ଲାଞ୍ଛନା ତାଡ଼ନା ସହି

ସହି ଶତ ଉପବାସ ଜାଳା

ଦୁନିଆରେ ମେଲିଥିଲା ତା ଦରିଦ୍ର ଜୀବନର ଧାରା

ପୃଥିବୀ କରିଚି ତାରେ ତୀବ୍ର ଉପହାସ

କୁକ୍‍କୁର ବିରାଡ଼ିଠାରୁ ହୀନକରି ଦେଖିଅଛି ତାରେ

ସେ କାହାକୁ ତୁଚ୍ଛକରି ଦେଖିନାହିଁ ବାରେ !

‘‘କହରେ ଜଗତ୍‌ କହ !

ମଣିଷକୁ ମାପିବାକୁ ହେଲେ

ମାପିବାକୁ ହେବ ତାର ଧନଗର୍ବ ଜ୍ଞାନଗର୍ବ

ଆଭିଜାତ୍ୟ ଗର୍ବ ନେଇ ସତେ ?

ସୀମାହୀନ ଦାରିଦ୍ର୍ୟର

କାଳିଆ କୋତରା ଛିଣ୍ତା କନା ତଳେ ତଳେ

ଅମୃତର ଯେ ଜୀବନ ନିତ୍ୟ ଲୀଳାକରେ

ସେ କି ନୁହେଁ ଧରଣୀର ଜୀବନ୍ତ ଗୌରବ ?

ତା’ ଭିତରୁ ଫୁଟେ ଯେଉଁ ମୋହନ ସୌରଭ-

ସେ କି ନୁହେଁ ସବଳର ଆଦରର ଧନ ?

ଆଡ଼ମ୍ବର, ଅହମିକା, କ୍ଷମତାର ସିଂହାସନ ଯହିଁ

ସେଇଠି କେବଳଥାଏ ମଣିଷ ଜୀବନ ।’’

‘‘ଆମ ଗାଁ କୁସୁନିଆ ଯାଇଅଛି ମରି

ତା’ ପାଇଁ ଗୋଟିଏ ଅଶ୍ରୁ

କାହା ନେତ୍ରୁ ଯାଇ ନାଇଁ ଝରି !’’

 

–ଚାରି–

 

ଚାରିଦିନ ଉପବାସ ପଶିନାଇଁ ମୁଖେ ଅନ୍ନଜଳ

ଦେହେ କଣ୍ଟା ଅଛି ଖାଲି, ନାଇଁ ଲବେ ତେଜ ବୀର୍ଯ୍ୟବଳ

ପିନ୍ଧିଚି କରିଆକନା, ଚାଲିଅଛି ପଥପ୍ରାନ୍ତେ ସିଏ-

ମଣିଷର ବହୁଦୂରେ । ଉଠୁନାଇଁ ପ୍ରଶ୍ନ ସିଏ କିଏ ?

କାହା ମୁଖେ ଧରଣୀର ।

ଥିଲେ ତା’ର ଧନ ଜନ ବାପମାଆ ଭାଇ

ଦେଖି ତା’ ଏସନ ଦଶା ତା’ରେ କେହି ପଚାରନ୍ତେ ନାଇଁ ?

ଏ ପୃଥିବୀ ସମସ୍ତ ମଣିଷ ତା’ର ସତେ ନୁହନ୍ତି କି କେହି

ରକ୍ତର ବନ୍ଧନ କଣ ଏମାନଙ୍କ ତୁଲେ ତାର ନାଇଁ ?

ରକ୍ତ ! ରକ୍ତ ! ମଣିଷର ନାଲିରକ୍ତ ତା’ର ପ୍ରତି

ଶିରା ପ୍ରଶିରାରେ

କେମନ୍ତେ ବିକଳ ହୋଇ କାନ୍ଦୁଅଛି ଦେଖୁନି କେ’ବାରେ

ଚାହାଁ ତା’ରେ ଚାହିଁ ଲବେ ତା’ ରକ୍ତର ପ୍ରତି ବିନ୍ଦୁଟିକ

ଆମକୁ କହୁଚି ବାଣୀ, ଚାଲିଚେ ବଧିର ହୋଇ-

ଆମେ ସମଧିକ !

ଯେତେ ଦିନ ଯାଏ ରକ୍ତର ବନ୍ଧନ ସକଳର ତୁଲେ

କରିନାହେଁ ଆମେ ଅନୁଭବ

ସେତେ ଦିନଯାଏ ଆମର ଯେ ଆନନ୍ଦ ସଂସାର

ଆମ ପାଇଁ ନିଷପ୍ରଭ ନୀରବ !

 

–ପାଞ୍ଚ–

 

ଏ ମଣିଷ ମଣିଷକୁ ଯେଉଁ ଠାରେ

ଦେଖେ କ୍ଷୁଦ୍ର କରି

ନରକର ଘୃଣ୍ୟପୀଠ ସେଇଠାରେ

ନାଇଁ ଅବତରି ?

ସେଇଠାରେ ମଣିଷର ମହାଦୃଷ୍ଟି

ହୋଇନିକି ହଳାହଳମୟ ?

ସେଇଠାରେ ମନୁଷ୍ୟତ୍ୱ ଆପେ ଆପେ

ପାଇନିକି କ୍ଳିନ୍ନ ପରାଜୟ !

ସେଇଠାରେ ଅନ୍ଧକାର ରହିନି କି ?

ବେଢ଼ି ଦିଗଦିଗନ୍ତର ଭରି

ପ୍ରଭାତର ସ୍ୱର୍ଣ୍ଣ ରବି

ସେ ଭୂମିର ଦିଗ୍‌ବଳୟ ତୀରେ

ଯାଇନି କି ମରି ?

ଆମରି ଆମରି ମଧ୍ୟେ

ଆମେ ଯେବେ ପରସ୍ପର

କରୁ ପ୍ରତାରଣା

ଆମ ଆମ ମଧ୍ୟେ ଯେବେ

ଅବିଶ୍ୱାସ ସନ୍ଦେହର

ବିଷାକ୍ତ ଝରଣା-

ହୁଏ ନିତ୍ୟ ପ୍ରବାହିତ

ଆମର ଉତ୍‌ଥାନ କାହିଁ ?

କାହିଁ ସମୁଜ୍ଜ୍ୱଳ ଅଭ୍ୟୁଦୟ

ଆମେ ଯେହ୍ନେ ଜାଣି ଜାଣି

ଗଢ଼ୁଚେ ଆମରି ଦେଶେ ଭୀଷଣ ନିରୟ !

 

–ଛଅ–

 

ଉଷା ! ଉଷା ! ଏ ମଣିଷ

ଟିକିଏ ଭାଳନ୍ତା ହେଲେ-

ସକଳର ଆନନ୍ଦର ଲୀଳାଭୂମି

ଏଇ ଆମ ମାଟି

ଏଥି ଆସ ଆମେ ସମସ୍ତେ ଚାଲିବା

ହୋଇ ହାତ ଧରା ଧରି

ହୋଇ ପରସ୍ପରେ ସାଥି !

ଆମେ ସମସ୍ତେ ଏ ମାଟିରେ

ସାଧନାର ରଙ୍ଗ ଦେଇ

ଚାଲିଚେ ଚାଲିବା

ଆମେ କିପାଁ ପରସ୍ପରେ

ହାଣିବା ମାରିବା ?

ଆମଠାରେ କା’ ଭିତରେ

କି ସମ୍ପଦ ନାଇଁ !

ଜଣକ ସମ୍ପଦ ନୁହେ ଜଣକର

ସେ ଯେ ମହା ଅସୀମର ପାଇଁ !

ଆମରି ଏ ମାଟି ପରେ

ଭୀଷଣ ନରକ ସୃଜି

ଆମେ କିପାଁ ଚାଲିଥିବା

ଦିନ ଦିନ ଧରି

ଆମ ତହୁଁ ବଳି କିଏ

ନିର୍ବୋଧ ଓ ବୋକା

ନାଇଁ ପାରେ କଳି !

ଆମେ ନିଜର ସାଥି

ସାଇ ପଡ଼ିଶାର ସାଥି

ଅସୀମ ଏ ଦୁନିଆର ସାଥି

ସବୁରିଙ୍କି ପ୍ରେମ କରୁଣା ଦେବାକୁ

ଆମେ ଗଢ଼ିଛୁ

ଆମରି ଛାତି

ଏଇ ବାଣୀ ଅନ୍ତରେ ଅନୁଭବି

ଆମେ ଚାଲିବୁ ଚିରକାଳ

ତା’ପରେ ଦେଖିବୁ ଆମେ

ଆମର ମାଟିରେ କେହ୍ନେ

ଫୁଟୁ ଅଛି

ଜୀବନର ମଧୁର ସଂସାର !!

 

–ସାତ–

 

ହାଇରେ ପିଲାଟି ମୋର !

ରହିଅଛୁ କେଡ଼େ ହୀନିମାନେ !

ଲୁହ ତୋର

ଛଳ ଛଳ ହୋଇ ଆସେ

ଅଭାବର ଅନନ୍ତ ପୀଡ଼ନେ !

ଭାଳୁଥିବୁ

ମୋର କେତେ

ସଖା ସାଥି

କେତେ ଭାବେ

ବଢ଼ୁଥିବେ

ସୌଭାଗ୍ୟର କୋଳେ

ଢଳି ଢଳି

ମୋହଭଳି

ନିଆଶ୍ରିକ

ଜୀବନର

ମରିଯିବ

ଯେତେ ଯହିଁ

ଥରେ ଆଶା କଳି !

ଲୁହ ଛଳ ଛଳ ନେତ୍ର

ମତେ ସେ

ଚାହୁଁଚି କେତେ !

ପାରୁନାଇଁ

ଆଉ କହି କଥା !

ପୃଥିବୀରେ ଫୁଟିବାକୁ

କାହା ଇଚ୍ଛା ନୁହେଁ କହ ?

ସେଇଟିକ

ନ ଘଟିଲେ

ମରଣରୁ ବଳି କେହ୍ନେ

ମାଡ଼ିଆସେ ବ୍ୟଥା ?

ଫୁଟିବାକୁ

ଉନ୍ମାଦନା ଭରେ

ନିଜଟିକ

ଦେବାପାଇଁ

ଅସୀମରେ ଢାଳି

କି ମଧୁ ଆକାଙ୍‌କ୍ଷା ଜାଗେ

ସବୁରି ଅନ୍ତରେ

ଏ ସୃଷ୍ଟିର ଆଦିକାଳୁ

ଆଜିଯାଏଁ ଧରି

ସେ ଲାଗି ପିଲାଟି ଆହା !

କେମନ୍ତେ ଚାହିଁଚି ମତେ

ପ୍ରତି ଲୁହବିନ୍ଦୁ ତାର

ଯେହ୍ନେ ଯାଏ କହି

ମୋତେ ତୁମେ

ଫୁଟିବାରୁ କରନି ବଞ୍ଚିତ !

ମୋ ଭିତରୁ ଫୁଟିବ ଯା

ସେ ଯେ ମହା ଅସୀମର ପାଇଁ !

ଉଷା ! ଉଷା ! ଦରିଦ୍ର କୁଟୀର ତଳେ

କେତେ ଫୁଲ ଫୁଟି ଆହା

ଫୁଟିପାରେ ନାଇଁ

ଏ ସବୁ କି ଚାଲିଥିବ

ଚିରକାଳ ପାଇଁ ?

ଗରିବ କୁଟୀର ଆହା ଗରିବ କୁଟୀର !

ଦିନ ଦିନ ଧରି ଝରିଉଠେ

ନେତ୍ରୁ ତାର ଅସରନ୍ତି ନୀର !!!

Image

 

ହେ ମୋର ମଣିଷ !

 

ସବୁ ଗରଳରୁ ମଣିଷ ଗରଳ ଅତି ଉତ୍‌କଟ ତର

ହେ ମୋର ମଣିଷ ! ହେ ମୋର ମଣିଷ ! ହୃଦ ନିର୍ମଳ କର !

ଅମୃତମୟ କର ତୋ ବକ୍ଷ ଅମୃତ ଦିଅ ଭରି

ସନ୍ତାନ ନୋହି ଚାଲିଚୁ କୁଆଡ଼େ ମହା ସଏତାନ ପରି !

ସରଗ ଗଢ଼ିବା ଶକ୍ତି ତୋ’ ହାତେ

ନରକ ଗଢ଼ି ତୁ ଚାଲିଚୁ କି ବାଟେ ?

ନୟନେ ତୋହର ପରଳ ମାଡ଼ିଚି କି ମହାଭୟଙ୍କର

ସବୁ ଗରଳରୁ ମଣିଷ ଗରଳ ଅତି ଉତ୍‌କଟ ତର !

ସ୍ୱଚ୍ଛ ହୁଅ ତୁ ଶୁଦ୍ଧ ହୁଅ ତୁ ମଣି କାଞ୍ଚନ ପରି !

ସିଂହପରି ତୁ ଚାଲ ତୋର ବାଟେ ଗଉରବ ବାନା ଧରି,

ତୋର ତେଜେ ହସୁ ଗଗନ ପବନ ନିଖିଳ ଧରଣୀତଳ

ଖେଳୁ ଚଉଦିଗେ ନବ ଉଲ୍ଲାସେ ଜୀବନର କଳରୋଳ !

ତୁ ଯେ ବୀରହିୟା ଅବୀର ପରାଏ

ଅପଥେ କି ଭଳି ଚାଲିଅଛୁ ହାୟେ !

ଶମଶାନ ପରି ତୋ ମାଟି କାନ୍ଦେ କରି କି ଆର୍ତ୍ତସ୍ୱର !

ସବୁ ଗରଳରୁ ମଣିଷ ଗରଳ ଅତି ଉତ୍‌କଟତର ।

ଶତ ଶହୀଦର ତତଲା ରକ୍ତ ଉତଲା କରୁନି ତତେ ?

ବୀର ବୀର୍ଯ୍ୟର ସାଧନା ବାଜୁନି କର୍ଣ୍ଣ କୁହର ପଥେ ?

ତୋ ପାଇଁ କେ କେତେ ଛାଡ଼ି ସବୁ ମାୟା ଦେଇଚି ଆତ୍ମବଳି

ଅନ୍ତର ତଳେ ସ୍ପନ୍ଦନ ତୋର ଜାଗୁନାଇଁ କେଉଁ ଭଳି ?

ଏ ଯେ ମାଟି ତୋର ଅତି ଆପଣାର

ତା’ ଲାଗି ଝରୁନି ତୋର ଲୁହଧାର ?

ନିଜ ପାଇଁ ନିଜେ ଚାଲିଚୁ ଏ ମାଟି ଦଳି ପଦତଳେ ତୋର

ସବୁ ଗରଳରୁ ମଣିଷ ଗରଳ ଅତି ଉତ୍‌କଟତର !

ସତ୍ୟ ନ୍ୟାୟର ଶୁଭ୍ର କିରଣେ କପାଳେ ନ ଫିଟେ ଝଳି

ଶତ କୂଟ ଜାଲ ଷଡ଼ଯନ୍ତ୍ର ଯେ ଉଠେ ଖାଲି ପ୍ରତିଫଳି,

ରସନାରୁ ତୋର ଫୁଟଇ ନିୟତ ଭଣ୍ତ କପଟବାଣୀ

ଶିଖିଚୁ କିଭଳି ଜାଲପାତି ଖାଲି ବଞ୍ଚିବୁ ମାରିଆଣି,

ସ୍ୱାଧୀନ ହିୟାର ଏ କି କାରବାର ?

ପାଲଟିଚୁ ତୁହି କେଡ଼େ ଜାନୁୟାର !

ଜାଗ୍ରତ ହୁଅ ଉତ୍‌ଥିତ ହୁଅ ଦୃଢ଼ ସଂକଳ୍ପ ଧର

ସବୁ ଗରଳରୁ ମଣିଷ ଗରଳ ଅତି ଉତ୍‍କଟତର !

ତୋହରି ମାଟିର କେତେ ମହାତ୍ମା ସାଧକ ସନ୍ଥଜନ !

ବିଶ୍ୱପାଇଁ କି ବୁକୁକାଟି କଲେ ଅମୃତ ବିତରଣ

ତାହାରି ଦାୟାଦ ହୋଇ ବୁକୁତଳେ ସେ ମହା ଶୋଣିତ ଧରି

ଉର୍ଦ୍ଧ୍ୱେ ତୋହରି ନୟନ ପଡ଼ୁନି ନିମ୍ନେ ଯାଉଚୁ ଚଳି

ବିରାଟ ଭିତରୁ ଜନ୍ମ ତୋହର

ବିରାଟ ଭିତରେ ନିତି ଗତିକର,

ବାଜିବ ତୋହର ଅନ୍ତର ବୀଣା ପୁଲକାଇ ଚରାଚର

ସବୁ ଗରଳରୁ ମଣିଷ ଗରଳ ଅତି ଉତ୍‌କଟତର ।

Image

 

ସ୍ଥାନାନ୍ତର

 

କବି, ଖଲିକୋଟ ହାଇସ୍କୁଲରେ ଶିକ୍ଷକତା କରୁଥିବାବେଳେ,ତତ୍ରଚ୍ୟ ପ୍ରଧାନ ଶିକ୍ଷକ ଗୋଟିଏ ନୋଟିସ୍‍ ଜାରି କଲେ ଯେ, ଯେଉଁ ଛାତ୍ରମାନେ ସ୍କୁଲକୁ ସକାଳ ବେଳା ଆସି ଉପରବେଳା ଆସୁନାହାନ୍ତି-ଶିକ୍ଷକମାନେ ସେମାନଙ୍କର ସମୁଦାୟ ଦିନ ଅନୁପସ୍ଥିତ ବୋଲି ହାଜରାରେ ଲେଖିବେ–କବି ତାହା ଅବୈଧ ବୋଲି ପ୍ରତିବାଦ କଲେ–ତା’ର ଫଳସ୍ୱରୂପ ପ୍ରଧାନ ଶିକ୍ଷକଙ୍କ ଗୁପ୍ତ ଚିଠି ବଳରେ କବିଙ୍କୁ ସତର୍କବାଣୀ ଆସିଲା ଏବଂ ପରେ ପରେ ଗୋଟିଏ ଅପନ୍ତରା ସ୍ଥାନକୁ ସ୍ଥାନାନ୍ତର କରାହେଲା–

 

ହେଲା ମୋର ସ୍ଥାନାନ୍ତର ଦୂରଦେଶେ ଦୂର ପଥେ

ଏ ଥାନର ଯେତେ ଯାହା ଛାଡ଼ିବାକୁ ହେବ ମୋତେ !

ରହିବାକୁ ହେବନାଇଁ ଗୋଟିଏ ମୁହୂର୍ତ୍ତ ହେଲେ

କହିବାକୁ ହେବନାଇଁ କଥା ପଦେ ବନ୍ଧୁ ମେଳେ !

ଚାଲିଯିବା ପାଇଁ ହେବି ଯେହ୍ନେ ସାଙ୍ଗେ ସାଙ୍ଗେ ଆଜି

ମୁହିଁ ଯେହ୍ନେ ସଏତାନ, ଦୁଷ୍ଟ ବଦମାସ ପାଜି !

ଅଲୋଡ଼ା ମୁଁ ସକଳର ଯେହ୍ନେ ଅବା ଏଇଥାନେ

ଯେହ୍ନେ କାର ଘୋର କ୍ଷତି ମୁଁ ଏଠି ରହିବା ମାନେ

ସେଦିନ ଆସିଲା ମତେ ଏକ ସାବଧାନ ବାଣୀ

ଦେଲି ତା’ ଉତ୍ତର ମୁହିଁ କରିନି ମୁଁ କା’ର ହାନି

ହେବି କିପାଁ ସାବଧାନ ଦିଅ ମତେ ପ୍ରତ୍ୟୁତ୍ତର

ନିର୍ଦ୍ଦୋଷ ନିଷ୍ପାପ ମୁହିଁ ପାନ୍ଥ ସତ୍ୟ ସାହସର !

ଫେରାଇ ନିଅ ଏ ତୁମ ଅନ୍ୟାୟ ଆଦେଶ ଗୋଟି

ଯା’ ପ୍ରତି ଅକ୍ଷରେ ମୁହିଁ ପଦାଘାତ କରେ କୋଟି !

ଯା ଅନ୍ୟାୟ, ଅନାଚାର, ଯା ଅସତ୍ୟ ଅମଙ୍ଗଳ

କରିଚି ତା’ ପତିବାଦ କରୁଥିବି ନିରନ୍ତର !

ଚାକିରି କରିଚି ବୋଲି ଦାସତ୍ୱ କରିନି ଜାଣ

ଚାକିରି ଦାସତ୍ୱ ମଧ୍ୟେ ଅଛି-ବହୁ ବ୍ୟବଧାନ !

ଚାକିରି କରିଚି ବୋଲି ମୁଣ୍ତ ବିକି ଦେଇନାହିଁ

ଯାହା ତୁମେ କହିଯିବ, ଖାଲି କରିଯିବା ପାଇଁ

ଚାକିରି କରିବା ଅର୍ଥ ନୁହେଁ କେବେ ଡରିମରି

ରହିଥିବା କାହା ପାଖେ ଚିରଦିନ କରଯୋଡ଼ି !

ଦେଶର, ଜାତିର ଅବା, ବ୍ୟକ୍ତିର ଚାକର ଯିଏ

ଅଛି ତା’ର ସ୍ୱତନ୍ତ୍ରତା ଭଲ ମନ୍ଦ ବୁଝି ସିଏ

କରିଯିବ କାମ ତା’ର, ଯାହା ସତ୍ୟ ଶୁଭଙ୍କର

ଏତକ ଯାହାର ନାଇଁ, ଦାସ ସିଏ ଦାସ ଖାଲି

ନିର୍ଲ୍ଲଜ୍ଜରୁ ବଳି ସିଏ ଆହୁରି ନିର୍ଲ୍ଲଜ୍ଜତର !

ହେଲା ମୋର ସ୍ଥାନାନ୍ତର ଦୂରଦେଶେ ଦୂରପଥେ

ତିଳେ ମୋ ପରୁଆ ନାଇଁ ଯିବା ପାଇଁ ହବ ମତେ

ଯେତେ ଯିଏ ବନ୍ଧୁ ମୋର କାହିଁକି ବ୍ୟଥିତ ହୁଅ

କାହିଁକି କାନ୍ଦୁଚ ଏତେ ନୟନୁ ବରଜି ଲୁହ !

ତୁମେ ମୋର ଆପଣାର ଚିରଦିନ ଆପଣାର

ତୁମ ସ୍ମୃତି ମୋ ଦରିଦ୍ର ଜୀବନର ଉପହାର !

ସିଂହ ପରି ଆଜି ମୁହିଁ କହୁଚି ତାହାଙ୍କୁ କଥା

ନିମେଷେ ଏ ମାଟି ପରେ ନ ନୁଆଇଁ ମୋର ମଥା

ଜନହୀନ ପ୍ରାଣହୀନ ମରୁବକ୍ଷେ ରଖ ମତେ

ରଖ କେଉଁ ଅପନ୍ତରା ମହା ଅନ୍ଧକାର ପଥେ

ରଖ ହେ ସମୁଦ୍ର ଘେରା କେଉଁ ଦୂର ଟାପୁପରେ

ରଖ କେଉଁ ପର୍ବତର ବିକଟ ଗହ୍ୱର ତଳେ !

ନିଘଞ୍ଚ ଅରଣ୍ୟ ଯହିଁ ଶ୍ୱାପଦର ଲୀଳାସ୍ଥଳୀ

ତା’ ଭିତରେ ରଖ ମତେ ଯେବେ ଇଚ୍ଛା ଅଛ କରି

ଚତୁର୍ଦ୍ଦିଗେ ମୋର ଖଞ୍ଜ ବାଡ଼ ମହାବିପଦର

କେଳେଇ କୁଟେଇ ମତେ ଯାହା ଇଚ୍ଛା ତାହା କର

ସୀମାହୀନ ଅଭାବ ଓ ବିପଦ ଭିତରେ ପଡ଼ି

ସାତହୀନିମାନ ହୋଇ ଯାଇପାରେ ପଚି ସଢ଼ି

ମୁଁ ଖଣ୍ତେ ଜଳନ୍ତା ନିଆଁ ଚିରଦିନ ମୋ ଭିତରେ

ମତେ କିଏ ପାରିବନି, ନିଭାଇ ଏ ଧରାତଳେ !

କେତେ ବନ୍ଧୁ, କେତେ ଛାତ୍ର ବିଦାୟ ଦେଉଚ ମତେ

ମୋର ଏଇ ସ୍ଥାନାନ୍ତରେ ବ୍ୟଥିତ ହେଉଚ ସତେ !

ସ୍ନେହ ସୁଖ ଆଳାପନେ କେତେ ଦିନ କେତେ ରାତି

ପୁହାଇ ଦେଇଚେ ଏଥି ଛାତିରେ ମିଶାଇ ଛାତି !

ବୁଲିଚେ ଏ ବିଲବନ ପାହାଡ଼ ପ୍ରାନ୍ତର ପଥେ

ଦେଖିଚେ ଅନନ୍ତ ଶୋଭା, ଆମେ ଏଥି ଅବିରତେ

ଜଣେ ଜଣକର ହୃଦ ସୁଖ ଦୁଃଖ ନ କହିଲେ

ଲାଗୁ ତ ନ ଥିଲା ବୋଧ ଏଥି କେବେହେଲେ ତିଳେ ।

ଏ ସବୁର ଆଜି ସତେ ହୋଇଯିବ ଅବସାନ

ଆଉ ଏତେ ପ୍ରିୟତର ହେବ ନାଇଁ ଏଇଥାନ ?

ଏତିକି ତୁମକୁ କହେ ଆଜି ଏ ବିଦାୟ ବେଳେ

ମେଣ୍ଢାପରି ଚଳିବନି ଜୀବନରେ କେବେ ହେଲେ !

ସମୁନ୍ନତ କରି ମଥା ଏଥି ଚାଲିବାକୁ ହବ

ଭୁଲିବାକୁ ହେବନାଇଁ-ଜୀବନର ଗଉରବ !

ବିଦାୟ ଦିଅ ହେ ବନ୍ଧୁ ! ଚାଲେ କରି ନମସ୍କାର

ମୁଁ ତୁମର ତୁମେ ମୋର ଚିରଦିନ ଆପଣାର

ହେ ମୋର କୁଟୀରରାଣି ! ଅଶ୍ରୁ କରି ଛଳ ଛଳ

ପଚାରୁଚୁ କାହିଁ ପାଇଁ ହେଲା ମୋର ସ୍ଥାନାନ୍ତର ?

ଯେ ଯହିଁ ରହିଲେ ସୁଖେ ତୁମେହିଁ ପଡ଼ିଲ ଖାଲେ

ରହିବ କେଉଁଠି ଯାଇ ସେ କେଉଁ ଜଙ୍ଗଲମାଳେ !

ଦିହ ଦୁଃଖ ହେଲେ କିଏ ଦେଖିବାକୁ ନାଇଁଥିବ

ଚିଠି ଦେଲେ ଯାଇ କେବେ ଦଶଦିନେ ପହଞ୍ଚିବ ।

ପାଖେ ଥିଲ ଘରପାଖେ ନିତି ଦେଖୁଥିଲି ମୁହିଁ

ତୁମ ଯୋଗୁଁ ଘର ମୋତେ କି ଅବା ସରଗ ଭୂଇଁ ।

ତୁମକୁ ଜାଣିଚି ମୁହିଁ, ଟିକେ ଗଲେ ଲଇଁ ସଇଁ

କିବା କ୍ଷତି ହେଉଥିଲା ନିଶ୍ଚିନ୍ତେ ଥାଆନ୍ତ ରହି ।

ତୁମେ ତ କଳିଆ ଲୋକ କେଉଁଠି ପାରୁନ ରହି

ଯେ ଯହିଁ ଦିଅନ୍ତି ତଡ଼ି ତୁମପରେ ରାଗ ବହି !

ହେ ମୋର କୁଟୀରରାଣି ! ବୁଝ ତମେ ବୁଝ ମତେ

କାହାର କରିନି କ୍ଷତି ଜୀବନର ଯାତ୍ରାପଥେ

ନିଜର ସାମାନ୍ୟ ଟିକେ ସୁବିଧା ହାସଲ ପାଇଁ

ଅନ୍ୟାୟର ପାଖେ ମୁଣ୍ତ ବିକି ମୁଁ ପାରିବି ନାଇଁ

ନିଆଁ ହୁଳା ଭିତରେ ମୋ ଜୀବନ ହୋଇଚି ଗଢ଼ା

ଯେଉଁଠି ଦେଖିବି ଟିକେ ଅଳିଆ ବା ଅସକର ।

ପୋଡ଼ି ଜାଳି ଧ୍ୱଂସ ତାରେ କରିଯିବା ଲକ୍ଷ୍ୟ ମମ

ନଚେତ ପୃଥିବୀ ହେବ ବିରାଟ ଶ୍ମଶାନ ସମ

ଗୃଧ୍ର, ଶ୍ୱାନ, ଶୃଗାଳର ବାସସ୍ଥଳ; ଲୀଳାସ୍ଥଳ,

ଚତୁର୍ଦ୍ଦିଗୁ ମରିଯିବ ଜୀବନ ଅମୃତ ଝର ।

ମୁହିଁ ଚାହେ ଚତୁର୍ଦ୍ଦିଗେ ଜୀବନ ଆନନ୍ଦ ମାୟା

ମୁହିଁ ଚାହେଁ ଚତୁର୍ଦ୍ଦିଗେ ସ୍ନେହ ପ୍ରେମ ସତ୍ୟଛାୟା

ମୁଁ ଚାହେଁ ଆଲୋକ ଖାଲି ଚତୁର୍ଦ୍ଦିଗ ଥିବ ଭରି

ନାଚୁଥିବ ତା’ ଭିତରେ ଏଇଶ୍ୟାମ-ବସୁନ୍ଧରୀ

ମୋହର ଟିକକ ଚେଷ୍ଟା ମୋହର ଟିକିଏ ଦାନ

ପୃଥିବୀର କେଉଁ କଣେ ଯେବେ ଆଣିପାରେ ପ୍ରାଣ

ମୋର ଟିକେ ଅସୁବିଧା, ମୋହର ଟିକିଏ କ୍ଷତି

କା’ ଓଠେ,ଫୁଟାଇପାରେ ଯେବେ ଆନନ୍ଦର ଜ୍ୟୋତି

ମୋ ସମସ୍ତ ସାଧନାର ସେଇ ସ୍ୱର୍ଣ୍ଣ ପରିଣତି

ରହେ କୋଟି ହଇରାଣେ, ତହିଁରେ କି ଦୁଃଖ ଅଛି ?

Image

 

ଜଣେ ପ୍ରତିବାସୀ

 

କି ହୀନ ଅବସ୍ଥା ହୋଇ କାଟୁଅଛୁ କାଳ

ଖାଇବାକୁ ମିଳୁନାଇଁ ମୁଠିଏ ପଖାଳ !

ରହିବାକୁ ଥାନ ନାଇଁ ପିନ୍ଧିବାକୁ କନା

ପାଣି ଗଳେ ଘର ଚାଳେ ସତରଠି କଣା !

ପିଲାଟି ଯେ ବାରଦିନେ ତାକୁ ତେର ରୋଗ

ଜୀବନେ ତୋ ହେବ ଅବା କି ଐଶ୍ୱର୍ଯ୍ୟ ଭୋଗ ?

ଭାରିଜାଟି କଣ୍ଟା ହୋଇ ଦିଶୁଚି କେବଳ

ପ୍ରେତ ପରି ଦିଶୁ ତୁହି ନାଇଁ ତେଜ ବଳ ।

ଜାତକ ଦେଖାଉ କାରେ ଭଲ ଦଶା ସତେଁ

ଆସିବ କି ନାଇଁ ଆଉ ତୋ ଜୀବନ ପଥେ

ଜାତକ ଦେଖାଇବାରେ କିଛି ଲାଭ ନାଇଁ

ଦାରିଦ୍ର୍ୟ ଭିତରେ ତୁହି ପଡ଼ୁଅଛୁ ନଇଁ ।

ଟିକିଏ ଫୁଟୁନି ହସ ତୋ ଅଧର ତଳେ

ଟିକିଏ ଜାଗୁନି ସୁଖ ତୋହରି ଅନ୍ତରେ

ଟିକିଏ ଆନନ୍ଦ ତୋରେ କେହି ଦେଉନାଇଁ

ଟିକିଏ ତ ଚିନ୍ତା କିଏ କରୁନି ତୋ ପାଇଁ

ଟିକିଏ ତ ତୋ’ କୁଟୀର ମୋହନ ସରାଗେ

ହସି ଖେଳି ଏ ଧରଣୀ ପରେ ନାଇଁ ଜାଗେ !

ହସି ହସି ବାଳୁତଟି ତୋହ କୋଳେ ଢଳି

ଦରୋଟି ବଚନେ ମନ ନ ନିଏ ତୋହରି ।

ଭାରିଜାଟି ମନ ଦୁଃଖେ ରହିଚି ମାତର

ପ୍ରତି ଅଙ୍ଗେ ବେଦନାର ଛାୟା ଢଳ ଢଳ

ପ୍ରାଣ ଉଠୁଥାନ୍ତା ପୂରି ତା’ରେ ଚାହିଁ ଦେଲେ

ମରିବ କି ବଞ୍ଚିବ ସେ ଆଜିକାଲି ହେଲେ

ବନ୍ଧୁଜନ କିଏ କାହିଁ ଆସୁଥାନ୍ତେ ଚାଲି

ସୁଖେ ଦୁଃଖ କେତେ ମାୟା ଦେଉଥାନ୍ତେ ଢାଳି ।

ଖାଇବା ପିଇବା ସବୁ ରହିଥାନ୍ତା ଘରେ

ପୁରି ଉଠୁଥାନ୍ତା ପ୍ରାଣ କି ପୁଲକ ଭରେ ।

ବସିଲା ଠାବରୁ ତୁ ତ ଉଠି ପାରୁନାଉଁ

ମୁଣ୍ତ ଭ୍ରମିଯାଏ ବାଟେ ଯେବେ ଚାଲି ଯାଉଁ ।

ରହିଛନ୍ତି ଜନେ କେତେ ରଚି କୋଠାବାଡ଼ି

ହସି ଖେଳି ଚାଲିଚନ୍ତି ପଥେ ଧାଡ଼ି ଧାଡ଼ି

କେତେ ଆଶା ଉନ୍ମାଦନା ଉତ୍ସାହ ଭିତରେ

ପୁହାଇ ନିଅନ୍ତି ଦିନ କି ସୋହାଗ ଭରେ

କା’ଘରେ ଗ୍ରାମ୍ଫୋନ ବାଜେ ରେଡ଼ିଓ କା’ଘରେ

କିଏ ବସି ଗୀତ ଗାଏ ଦୋ’ତାଲା ଉପରେ

କାହାଘରେ କେତେ ସ୍ୱର୍ଣ୍ଣ ଶିଶୁଛନ୍ତି ରହି

ପୁଲକ ଉଦ୍‌ବେଳେ ରଚି ସରଗ ଏ ମହୀ

ନାଟ ଜାତ ଦେଖି କିଏ ଯାନ୍ତି ହସି ହସି

ଅଭାବ ବେଦନା ଦୁଃଖ ଯାଇନି ପରଶି

ସବୁବେଳେ ହସ ହସ କଥା ଓ ବାରତା

ଜାଣନ୍ତିନି ଜୀବନରେ ଅଛି କାହିଁ ବ୍ୟଥା !

ଏ ସବୁ ବିଲୋକି ତୋର ହୃଦୟ ଭିତର

କେମନ୍ତେ ଉଠୁଚି କାନ୍ଦି ସତେ ନିରନ୍ତର

ହା ହୁତାଶେ ଚଉଦିଗେ ନୀରବେ ଅନାଇ

ନେତ୍ରୁ କେତେ ଅଶ୍ରୁବାରି ଝରୁଥିବ ନାଇଁ ।

କହୁଥିବୁ ମୋ ଜୀବନ ହେଲା ଅକାରଣ

ସୁଖେ ନ ବିତିଲା ମୋର ହେଲେ ପ୍ରତିକ୍ଷଣ

ଏଇଭଳି ହା’ ହୁତାଶେ ନେତ୍ରୁ ଲୁହ ଢାଳି

ମୋ ସାରା ଜୀବନ କଣ ସତେ ଯିବ ଚାଲି ?

ସତେ କଣ ଆସିବନି ମୋର ଭବିଷ୍ୟତ

ମୋ ଲାଗି ସରାଗେ ଗଢ଼ି ସ୍ୱର୍ଣ୍ଣ ରାଜପଥ

ମୁଁ କିମ୍ପା ଅବସ୍ଥା ହୋଇ ରହେ ଧରାଧାମେ

କୋଟିଏ ବିଭବେ କିମ୍ପା ଛନ୍ତି ଅନ୍ୟମାନେ ?

ମୁହିଁ କିମ୍ପା ଜଳି ପୋଡ଼ି ହୁଏ କଲବଲ

ମୋ ପାଇଁ ଜଗତ କିମ୍ପା ନିଦାରୁଣ ତର ?

ଈଶ୍ୱର ଅଛନ୍ତି କିଏ ? ଅଛନ୍ତି ସେ କାହିଁ

ଜଣଙ୍କୁ ହସାନ୍ତି କିମ୍ପା ଜଣକୁ କନ୍ଦାଇ ?

ମୋ ପିଲା ପାଏନି ଯେବେ ପେଜରୁ ଟୋପିଏ

କାନ୍ଦି କାନ୍ଦି ଭୂଇଁ ତଳେ ଯେବେ ଗଡ଼ିଯାଏ

ତା’ଦୁଃଖ ଈଶ୍ୱର କଣ ବୁଝନ୍ତି କି ଆସି ?

ପୋଛନ୍ତି କି ଲୁହ ପଦେ ମଧୁବାଣୀ ଭାଷି ?

ଏ ଜଗତ କି ସୁନ୍ଦର ସମସ୍ତଙ୍କ ପାଇଁ

ମୋ ଲାଗି ଅମୃତ ଏଠି କଣିକାଏ ନାଇଁ ।

ଘାଣ୍ଟି ହୋଇ ଦିନ ନିଏ ଘୋର ନିଯାତନେ

ତଥାପି କାହିଁକି ଆଶା ଜାଗେ ପ୍ରତିକ୍ଷଣେ

ସୋହାଗ ସମ୍ପଦ ଦିନ ଆସିବ ମୋହରି

ଲୁଚିଯିବ ବାଧା ଯାହା ଦିଏ ମୋରେ ଦଳି

କି ଦୁର୍ମଦ ଆଶା ଜାଗେ ବକ୍ଷେ ମଣିଷର

ତାର ଯେହ୍ନେ ଶେଷ ନାଇଁ ଜନ୍ମ ଜନ୍ମାନ୍ତର !

ତୋ’ ଦରିଦ୍ର ସଂସାର ମୁଁ କଲେ ଦୃଷ୍ଟିପାତ

ମରମେ ଜାଗଇ ମୋର ଗଭୀର ଆଘାତ

ଜୀବନ୍ତ ଶ୍ମଶାନ ଏ କି ଏ ଧରଣୀ ପରେ ?

କାହିଁକି ରହିଚି ସତେ ଏତେ କଲବଲେ ?

ଛିନ୍ନ ହୋଇ ରହିଚି ସେ ସବୁରି ଉଢ଼ାଳେ

ସିକ୍ତ ହୋଇ ଚିରଦିନ ଉଷ୍ଣ ଲୁହ-ଧାରେ !

ଜୀବନ ତ ସବୁଠାରେ ସୁନ୍ଦର ସମାନ

ଲୋଡ଼ଇ ନିୟତ ସୁଖ ଶିରୀ ସନମାନ !

ସୁଦୂର ପଲ୍ଲିରେ ଥାଉ, ଥାଉ ବା ନଗରେ

ଥାଉ ଭୀମ ଅରଣ୍ୟାନୀ ଗଭୀର ଗହ୍ୱରେ

ଦୁସ୍ତର ମରୁରେ ଥାଉ, ମହାସମୁଦ୍ରର

ଦୀପ ଟାପୁ ମଧ୍ୟେ ରହିଥାଉ ଯୁଗାନ୍ତର !

ଦେବା ପାଇଁ ହବ ତାକୁ

ତା’ ଅନ୍ତର ତଳ

ଯେଟିକ ନପାଇ ନିତ୍ୟ ହୁଏ କଲବଲ !!

ସତେ କଣ ମରିହଜି ଯିବୁ ଧରିତ୍ରୀରେ

ତୋହଭଳି ଯେତେ ଯିଏ ନିରନ୍ନ କୁଟୀରେ

କରିଚନ୍ତି ବସବାସ ଛୁଆପିଲା ନେଇ

ରହିବେନି ଧରିତ୍ରୀରେ ଏଇମାନେ କେହି ?

ସମସ୍ତେ ଭଜିବେ ଏଥି ଜୀବନ୍ତ ସମାଧି ?

ଶିରେ ବହି ମଣିଷର କ୍ରୂର କାରସାଦି

କୁନ୍ତସମ; ଏତେ ଏତେ ନିଃସ୍ୱ ପରିବାର

ସେମାନେ ଅଲୋଡ଼ା ସତେ ଏଇ ମୃତ୍ତିକାର ?

ସୌଧବାସୀ ବୁଦ୍ଧିଜୀବୀ ଜୁଆଚୋରୀ ଦଳ

କେବଳ ରହିବେ ଏଥି ଏଇମାନଙ୍କର

ହେବ ଏଇ ମାଟି କ’ଣ ଚିର ରାସସ୍ଥଳୀ ?

ସମସ୍ତେ ମରିବେ ଏଥି ପୋକ ମାଛିପରି ?

ତେବେ କିପାଁ ଜନ୍ମ କହ ଏଇମାନଙ୍କର

ଘାସପରି ଉଠି ଯେବେ ନିମେଷ ମାତର

ରହି ଏଠି ଶୁଖିଯିବେ ଜନ୍ମ ଜନ୍ମ ଧରି,

ଏମାନଙ୍କ ପାଇଁ କଣ ଧରିତ୍ରୀ-ସୁନ୍ଦରୀ

ଫୁଟାଇନି ଫୁଲ ଫଳ ଶସ୍ୟ ମନୋରମ

ଛୁଟାଇନି ନଦନଦୀ ଶୈଳ ବିଲ ବନ ?

ତୁମେ ଆମେ ସମସ୍ତେ ତ ଜୀବ ଏ ମାଟିର

ଜଣେ କିପାଁ ଥିବ ହୋଇ ନ-ନୀର ନ-ତୀର

ଚାଲିବୁନି ? ରହିଥିବୁ ଚିରଦିନ ପଡ଼ି ?

ଏ ମାଟିର ଏକ ଅଭିଶପ୍ତ ଜୀବପରି

ଚାରିଆଡ଼େ କୋଠାବାଡ଼ି ଧନ ଜନ ଭରା

ଚାରିଆଡ଼େ ହସଖେଳ ଆନନ୍ଦ ପସରା

ଚାରିଆଡ଼େ ଶିକ୍ଷା ଦୀକ୍ଷା ଆଶା ଅଭିଳାଷ

ଚାରିଆଡ଼େ ସ୍ନେହ ସୁଖ ମୋହନ ବିଳାସ

ଏ ସବୁ ଭିତରେ ତୁହି ଚିରଦିନ ସଢ଼ି

ଅଭାବ ଓ ଯାତନାରେ ଯିବୁ ଖାଲି ମରି ?

ତୁ କଣ ଜୀବନ ନୁହ ମହା ଧରିତ୍ରୀର ?

ଚିରଦିନ ଚାଲିଥିବୁ ହୋଇ ନତ ଶିର ?

ପନ୍ଧିବାକୁ କନାଟିକେ ମିଳୁଥିବ ନାଇଁ

ଉପବାସେ ରହିଥିବୁ ଦିନେ ଦିନେ ଚାହିଁ

ସଜଳ ନୟନେ ତୋର ଦରିଦ୍ର କୁଟୀରେ

କି ଦୁର୍ବହ ଲାଗୁଥିବ ଏ ଧରଣୀ ତୀରେ

ତୋହର ଜୀବନ ଟିକ ?

ଏ ମହା ସଂସାର-

ଭିତରେ କେତେ ଯେ ପ୍ରାଣ ହୁଏ ନାରଖାର

ନ ପାଇ ଟିକିଏ କାହୁଁ କୂଳ ବା କିନାରା

ଭାବିଲେ ନୟନୁ ଖସିପଡ଼େ ଲୁହ ଧାରା ।

ସୁଖୀ ଦୁଃଖୀ ବଡ଼ ସାନ ଧନୀ ଓ କାଙ୍ଗାଳ

ରହିଚି କାହିଁକି ହୋଇ

ମଣିଷ ସଂସାର ?

ଜଣେ ବସି ପେଜ ଟୋପେ

ପିଇବାର ବେଳେ

ଅନ୍ୟ ଜଣେ ଘିଅ ଭାତ କେହ୍ନେ

ଖାଏ ହେଲେ ?

ଜଣଙ୍କ ଆତ୍ମାର ଯେଉଁ ଗଭୀର କ୍ରନ୍ଦନ,

ଅନ୍ୟକୁ କେମନ୍ତେ ନାଇଁ ଛୁଉଁଚି ବହନ,

ଦେଖିଲେ ତୋ ନେତ୍ରପ୍ରାନ୍ତେ ଏକ ଅଶ୍ରୁଧାରା

ବୁଝିଲେ ତୋ ବୁକୁତଳ ସୀମାହୀନ ଭାରା

ଚାହିଁଲେ ତୋ ପ୍ରାଣହୀନ ବିମଳିନ ବେଶ

ଅନୁଭବ କଲେ ତୋର ଦୁଃଖଦୈନ୍ୟ କ୍ଳେଶ

କେମନ୍ତେ କା ବୁକୁତଳ ଉଠିବ ଉଲ୍ଲାସ ?

ଆନନ୍ଦର ହାସ କିଏ ପାରିବ ବା ହସି ?

Image

 

ପ୍ରାଣର ବାଣୀ

 

ଗୋଟିଏ କୁଟୀର କଣେ ବନ୍ଧା ହୋଇ ରହିବାକୁ

ଚାହେନି ଅନ୍ତର

କୋଟିଏ କୁଟୀରେ ମୋର ସୁଖଦୁଃଖ ଆନନ୍ଦର

ଚିର ଗନ୍ତା ଘର ।

ସବୁରେ ମୁଁ ଖୋଜିବୁଲେ ପ୍ରାଣର ଅନନ୍ତମାୟା

ଚିର ଦିନ ଧରି

ସବୁରେ ମୁଁ ଗୋଳି ହୋଇ ରହିବାକୁ ଚାହେ ଯେହ୍ନେ

ଦିବସ ଶର୍ବରୀ

ନୀଡ଼େ ନୀଡ଼େ ହସଖେଳ ଆନନ୍ଦର ସୀମାହୀନ

ଶୋହା ଦେଖିବାରେ-

ପରମ ଐଶ୍ୱର୍ଯ୍ୟ ମୋର ଏ ତହୁଁ କି ବଇଭବ

ଅଛି କେଉଁ ପାରେ ?

ଏ ବିରାଟ ମାଟିପରେ ସଭିଏ ମୋ ଆପଣାର

ବନ୍ଧୁ ପ୍ରିୟତମ !

ଚାହିଁଦେଲେ ସକଳରେ ଅନୁଭବେ ଏମାନେ ମୋ

ଛାତିର ସ୍ପନ୍ଦନ !

Image